ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ଭବାନୀ ଚରଣ ପଟ୍ଟନାୟକ ଗୁରୁତର ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବୁଧବାର ସକାଳୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ହୃଦରୋଗରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିଥିବା ଶ୍ରୀ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବଗତ ହେବାପରେ ଦୁଃଖପ୍ରକାଶ କରିଛନ୍ତି। ଚିକିତ୍ସାରେ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବା ସହ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ମେଡିକାଲ ଟିମ୍ ଗଠନ କରି ଶ୍ରୀ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ମନିଟର୍ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ତାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ୧୯୨୨ ମସିହା ମେ ୧୧ ତାରିଖରେ ପୁରୀ ଜିଲ୍ଲା ନିମାପଡ଼ାରେ ଜନ୍ମଗ୍ରହଣ କରିଥିବା ଭବାନୀ ପଟ୍ଟନାୟକ ଦେଶ ସ୍ୱାଧୀନତା ସଂଗ୍ରାମରେ ପ୍ରତ୍ୟେକ୍ଷଭାବେ ଅଂଶଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ଥର କାରାବାସ ମଧ୍ୟ ଭୋଗିଥିଲେ। ୧୯୬୧, ୧୯୬୬ ଏବଂ ୧୯୭୮ ମସିହାରେ ସେ ୩ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୮ରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ଉପାଧି ପ୍ରଦାନ କରାଯାଇଥିଲା। ୯୭ ବର୍ଷୀୟ ପଟ୍ଟନାୟକଙ୍କ ଅସୁସ୍ଥ ହେବା ଖବର ଜଣାପଡ଼ିବା ପରେ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ତାଙ୍କ ଆରୋଗ୍ୟ କାମନା କରିବା ସହ ଚିକିତ୍ସାରେ କୌଣସି ଅବହେଳା ନକରିବାକୁ ଦାବି କରିଛନ୍ତି।