କେନ୍ଦ୍ରାପଡା,ଏନ୍ଏନ୍ଏସ୍: କେନ୍ଦ୍ରାପଡା ଏକମାଣିଆ ଗାଁ’ରୁ ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ତେବେ ଗୁରୁବାର ଏହି ସମସ୍ୟାର ସମାଧାନ କରିବାକୁ ଯାଇ ପ୍ରକଳ୍ପ ଅଧିକାରୀ ଗାଁ ଲୋକଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା କ୍ରମେ ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ ପରିଡା ସମ୍ପୃକ୍ତ ଗାଁକୁ ଯାଇଥିଲେ । ଗାଁର ସମସ୍ୟାକୁ ତଦନ୍ତ କରିବାକୁ ଯାଇଥିବାବେଳେ ପିଡି ସମସ୍ୟା ନ ବୁଝି ଚାଲିଯିବାକୁ ଚାହୁଁଥିଲେ । ଏହାକୁ ବିରୋଧ କରିବାରୁ ଦିଲ୍ଲୀପ ପରିଡା ଉତକ୍ଷିପ୍ତ ହୋଇପଡିଥିଲେ । ଆଉ ସେ ଗାଁ ଲୋକଙ୍କୁ ଚାପୁଡା ମାରିବାକୁ ଉଦ୍ୟମ କରିଥିଲେ । ଏ ନେଇ ଗାଁ ଲୋକେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ।
ତେବେ ଗୋଟିଏ ସରକାରୀ ପଦବୀରେ ଥାଇ ଲୋକମାନଙ୍କୁ ଏପରି ବ୍ୟବହାର ପ୍ରଦର୍ଶନ କରିବାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । କେଉଁ ପରିସ୍ଥିତିରେ ଲୋକମାନଙ୍କ ଅଭିଯୋଗ ଶୁଣିବାକୁ ବାବୁ ଜଣକ ଇଚ୍ଛା ପ୍ରକାଶ କରିନଥିଲେ କେବଳ ଏତିକି ନୁହେଁ ଗାଁ ଲୋକଙ୍କୁ ଚାପୁଡା ମାରିବା ଲାଗି ଉଦ୍ୟମ ବି କରିଥିଲେ ତାହାର ତଦନ୍ତ ହେବାର ଅବଶ୍ୟକତା ରହିଥିବା ଦାବୀ ହେଉଛି । ତେବେ ଗତକାଲି ମଧ୍ୟ ବୌଦ୍ଧରୁ ଏପରି ସମାନ ଚିତ୍ର ଆସିଥିଲା । ଏକ ବୈଠକ ଚାଲିବାର ମାତ୍ର ୫ ମିନିଟ ବିଳମ୍ବରେ କିରାଣୀ ଜଣଙ୍କ ପହଞ୍ଚିଥିବା କାରଣରୁ ବିଡିଓ ତାଙ୍କୁ ଚାପୁଡା ମାରିଥିଲେ । ଯାହା ସୋଶିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା ।