ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ) ପକ୍ଷରୁ ଆଦିବାସୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରକ୍ରିୟାକରଣ ଯନ୍ତ୍ର ପ୍ରଦାନ କାର୍ଯ୍ୟକ୍ରମ ତଥା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ସଭାପତିତ୍ୱ କରିଥିଲେ । ଅନ୍ୟ ଅତିଥି ଭାବରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଉମରକୋଟ ବିଧାୟକଙ୍କ ପ୍ରତିନିଧି ପ୍ରୀତିସ୍ନିଗ୍ଧା ମହାପାତ୍ର ଓ ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଯଦୁମଣି ନାୟକ ଯୋଗ ଦେଇଥିଲେ । ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ରାଜୀବ କୁମାର ସାହୁ ଅତିଥିଙ୍କୁ ସ୍ୱାଗତ କରିବା ସହିତ କାର୍ଯ୍ୟକ୍ରମ ବିଷୟରେ ସମ୍ୟକ ଧାରଣା ଦେଇଥିଲେ । ଏଥିରେ ଜିଲ୍ଲାର ୩୦୦ରୁ ଊର୍ଦ୍ଧ୍ୱ ଆଦିବାସୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗ ଦେଇଥିଲେ ।
ମିଳିଥିବା ରିପୋର୍ଟ ମୁତାବକ, ଆଇଟିଡିଏ, ନବରଙ୍ଗପୁର ତରଫରୁ ମିଶନ ଜୀବିକା କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ୯୪ ଟି ଆଦିବାସୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ସେମାନଙ୍କ ସାମାଜିକ ତଥା ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ନିମନ୍ତେ ଆର୍ଟିକିଲ-୨୭୫(୧)ର ଆର୍ଥିକ ଅନୁଦାନରେ ବିଭିନ୍ନ ପ୍ରକ୍ରିୟାକରଣ ଯନ୍ତ୍ର ଯଥା ଧାନ ମିଲ ୩୯ଟି, ଅଟା କଳ ୧୭ଟି, ମକା ମଞ୍ଜିଛଡ଼ା ଯନ୍ତ୍ର ୩୩ଟି ଓ ତେଲପେଡ଼ା ୬ଟି ଯୋଗାଇ ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଆଇଟିଡିଏ ନବରଙ୍ଗପୁରର ପ୍ରକଳ୍ପ ପ୍ରବନ୍ଧକ ଗୋବିନ୍ଦ କୁମାର, ବିଷୟ ବସ୍ତୁ ବିଶେଷଜ୍ଞ ସୁଶୀଲ କୁମାର ମେହେର ଓ ପୁଷ୍ପାଞ୍ଜଳି ସେଠ ପରିଚାଳନା କରିଥିଲେ ।