ନଭେମ୍ବର ୯ରୁ ବରଗଡ଼ ଜିଲ୍ଲାରେ ଆରମ୍ଭ ହେବ ଧାନ ଉଠା ପ୍ରକ୍ରିୟା

ବରଗଡ଼,ଏନ୍ଏନ୍ଏସ୍: ଆଗାମୀ ନଭେମ୍ବର ୯ ତାରିଖରୁ ବରଗଡ଼ ଜିଲ୍ଲାରେ ଖରିଫ ଧାନ ଉଠା ପ୍ରକ୍ରିୟା ଆରମ୍ଭ ହେବ। ବରଗଡ଼ ଜିଲ୍ଲାପାଳ ଓସ୍ୱାନ ହଲରେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଗାମୀ ୯ ତାରିଖରୁ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବା ନେଇ ନିଷ୍ପତ୍ତି ହୋଇଥିଲା। ସେହିପରି ଚାଷୀମାନଙ୍କୁ ଦିଆଯାଉଥିବା ଟୋକନ ଧାର୍ଯ୍ୟ ତାରିଖରୁ ୩୦ ଦିନ ରହିବ।

ଧାନ କିଣା ବିକାରେ ଚାଷୀ ସମସ୍ୟାର ସମ୍ମୁଖୀନ ହେଲେ ଲିଖିତ ଆକାରରେ ଦେଲେ ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ ସୂଚନା ଦେଇଥିଲେ। ଭିଡିଓ କନଫେରେନ୍ସି ମାଧ୍ୟମରେ ହୋଇଥିବା ଏହି ବୈଠକରେ ବିଜେପୁର ବିଧାୟିକା ରିତା ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ଏମପି ପ୍ରତିନିଧି ସୁରେଶ୍ୱର ଶତପଥୀ, ଏସପି ପଦ୍ମିନୀ ସାହୁଙ୍କ ସମେତ ଅନ୍ୟ ଚାଷୀ ପ୍ରତିନିଧିମାନେ ଯୋଗଦେଇଥିଲେ।