ବିଶ୍ୱକପ୍ ପରାଜୟର ପ୍ରତିଶୋଧ: କଳିଙ୍ଗରେ ଭାରତର ବୃହତ୍ ବିଜୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ପ୍ରୋ-ଲିଗ୍ ୨୦୨୦ର ପ୍ରଥମ ମୁକାବିଲାରେ ନେଦରଲାଣ୍ଡ୍ସକୁ ୫-୨ ଗୋଲରେ ହରାଇ ଭାରତ ଷ୍ଟାଇଲରେ ବିଜୟ ଅଭିଯାନ ଆରମ୍ଭ କରିଛି। ଏହି ବିଜୟ ସହ ଭାରତ ଏଠାରେ ଅନୁଷ୍ଠିତ ୨୦୧୮ ବିଶ୍ୱକପ କ୍ୱାର୍ଟର ଫାଇନାଲ ପରାଜୟର ପ୍ରତିଶୋଧ ନେବାରେ ସମର୍ଥ ହୋଇଛି। ବିଶ୍ୱକପ୍ ମୁକାବିଲାକୁ ନେଦରଲାଣ୍ଡ ୨-୧ ଗୋଲରେ ଜିତିଥିଲା। ପ୍ରୋ-ଲିଗ୍ର ଦ୍ୱିତୀୟ ମୁକାବିଲା ଉଭୟ ଦଳ ମଧ୍ୟରେ ରବିବାର ଅପରାହ୍ଣ ୫ଟାରେ ଅନୁଷ୍ଠିତ ହେବ। ନେଦରଲାଣ୍ଡ୍ସ ଶନିବାର ପରାଜୟର ଭରଣା କରିବାକୁ ରବିବାର ସୁଯୋଗ ପାଇବ।

ଏହି ମ୍ୟାଚରେ ଭାରତ ପକ୍ଷରୁ ରୂପିନ୍ଦର ପାଲ ସିଂ ୨ଟି, ଗୁରଜାନ୍ତ ସିଂ, ମନଦୀପ ସିଂ ଓ ଲଳିତ ଉପାଧ୍ୟାୟ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ନେଦରଲାଣ୍ଡ୍ସ ପକ୍ଷରୁ ଜିପ୍ ଜାନେସନ ଓ ଜେରୋଏନ୍ ହର୍ଜବର୍ଗର ଗୋଟିଏ ଲେଖାଏଁ ଗୋଲ ଶୁଝାଇଥିଲେ। ଓଡ଼ିଶାର ଯୁବ ଫରୱାର୍ଡ ଖେଳାଳି ଲଳିତ ଉପାଧ୍ୟାୟଙ୍କୁ ଓଡ଼ିଶା ପ୍ଲେୟର ଅଫ ଦି ମ୍ୟାଚ୍ ବିବେଚିତ କରାଯାଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଅତିଥିଭାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ। ପୂର୍ବରୁ ଓଡ଼ିଶା ହକି ଡେଭଲେପମେଂଟ ଅଧ୍ୟକ୍ଷ ଦିଲୀପ ତିର୍କୀ ଅତିଥିଭାବେ ଯୋଗ ଦେଇ ଏହି ମ୍ୟାଚ୍ ଆନୁଷ୍ଠାନିକ ଉଦ୍ଘାଟନ କରିଥିଲେ। ଏହି ମ୍ୟାଚରେ ନେଦରଲାଣ୍ଡ୍ସ କୋଚ୍ ମ୍ୟାକ୍ସ କାଲଡାସ ଯେଉଁ ଭବିଷ୍ୟବାଣୀ କରିଥିଲେ, ତାହା ସତ୍ୟରେ ପରିଣତ ହୋଇଛି। ଉଭୟ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲାବେଳେ ମ୍ୟାଚରେ ୭ଟି ଗୋଲ ହୋଇଛି।