ଉତ୍ତରପ୍ରଦେଶ: ଶନିବାର ଲକ୍ଷୌରେ ଏକକ ହାଇ-ଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଛି। କଂଗ୍ରେସର ପ୍ରତିଷ୍ଠା ଦିବସରେ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲକ୍ଷୌରେ ‘ଭାରତ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ’ ରାଲିରେ ଯୋଗଦେବା ଅବସରରେ ପୁଲିସ ତାଙ୍କୁ ଗଳାଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଖୋଦ୍ ପ୍ରିୟଙ୍କା ପୁଲିସ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି। ଅପରପକ୍ଷରେ ବିଜେପି ଏହାକୁ ପ୍ରିୟଙ୍କାଙ୍କ ନୌଟଙ୍କୀ ବୋଲି ଅଭିଯୋଗ କରିଛନ୍ତି।
ଉତ୍ତରପ୍ରଦେଶ କଂଗ୍ରେସ ମୁଖପାତ୍ର ଅଶୋକ ସିଂହ କହିଛନ୍ତି, ପ୍ରିୟଙ୍କା ଗାନ୍ଧୀ ରାଲିରେ ଯୋଗଦେଇସାରି ପୂର୍ବରୁ ପୁଲିସ ଦ୍ୱାରା ଗିରଫ ହୋଇଥିବା ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଏସଆର୍ ଦାରାପୁରୀଙ୍କୁ ଭେଟିବାକୁ ଗଲାବେଳେ ତାଙ୍କୁ ପୁଲିସ ବାଟରେ ଅଟକାଇ ଗଳାଧକ୍କା ଦେଇଥିଲା। ପ୍ରିୟଙ୍କା ଅଭିଯୋଗ କରିଛନ୍ତି, ଜଣେ ମହିଳା ପୁଲିସ ତାଙ୍କ ତଣ୍ଟି ଧରିପକାଇବାରୁ ସେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ତେବେ ପ୍ରିୟଙ୍କା ଏକ ସ୍କୁଟର ଯୋଗେ ଯାଇ ଇନ୍ଦିରାନଗରସ୍ଥିତ ଦାରାପୁରୀଙ୍କ ବାସଭବନରେ ପହଞ୍ଚିଥିଲେ। ଉଲ୍ଲେଖଯୋଗ୍ୟ ସିଏଏକୁ ବିରୋଧ କରି ଦାରାପୁରୀ ଗିରଫ ହୋଇଥିଲେ।
କଂଗ୍ରେସ ମୁଖପାତ୍ର ଅଶୋକ ସିଂହ ଆହୁରି କହିଛନ୍ତି, ପୁଲିସ ପ୍ରିୟଙ୍କାଙ୍କ ଗାଡ଼ି ଅଟକାଇବାରୁ ସେ ପ୍ରାୟ ୧ କିଲୋମିଟର ଚାଲିଥିଲେ। ଏହାପରେ ପୁଣି ପୁଲିସ ତାଙ୍କୁ ବାଧାଦେବାରୁ ସେ ଇନ୍ଦିରାନଗର ସେକ୍ଟର-୧୮ର ଗଳି ଭିତରେ ପଶିଯାଇଥିଲେ। ଏହିଭଳି ଭାବରେ ସେ ପ୍ରାୟ ୩/୪ କିଲୋମିଟର ଚାଲି ପୁଲିସକୁ ଚକମା ଦେଇ ଦାରାପୁରୀଙ୍କ ଘରେ ପହଞ୍ଚିଥିଲେ। ପୁଲିସ ଓ ପ୍ରିୟଙ୍କାଙ୍କ ମଧ୍ୟରେ ଏଭଳି ଲୁଚକାଳି ଖେଳ ଯୋଗୁଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା।