ଅକ୍ସିଜେନ ଓ ମେଡିସିନ ଅଭାବରୁ କାନ୍ଦୁଛନ୍ତି ଲୋକେ: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,ଏଜେନ୍ସି: ସମଗ୍ର ଦେଶ କରୋନା ସହ ଲଢେଇ କରୁଛି। ଏହି ମଧ୍ୟରେ ଦେଶରେ ଔଷଧ ଓ ଅକ୍ସିଜେନର ଘୋର ଅଭାବ ଦେଖାଦେଇଛି। ଏନେଇ ଆଜି କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଲୋକେ ଜୀବନ ମୃତ୍ୟୁ ସହ ଛପଟପ ହୋଇ କାନ୍ଦୁଥିବା ବେଳେ ସରକାର ରାଲି ଓ ଜନସଭା କରି ହସୁଛନ୍ତି।

ସେ କହିଛନ୍ତି କି, ସଂକ୍ରମଣ ବଢୁଥିବାରୁ ଦେଶର ସମସ୍ତ ହସ୍ପିଟାଲରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି। ହସ୍ପିଟାଲରେ ବେଡ, ଅକ୍ସିଜେନ ଓ ଔଷଧ ନପାଇ ଲୋକେ ଚିତ୍କାର କରୁଛନ୍ତି। କିନ୍ତୁ ଏହି ପରିସ୍ଥିତିରେ ବି କେନ୍ଦ୍ର ସରକାର ରାଲି ଓ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ‘ବର୍ତ୍ତମାନ ସମୟରେ ମଧ୍ୟ ସେମାନେ ରାଲି କରୁଛନ୍ତି। ଲୋକେ ଅକ୍ସିଜେନ, ବେଡ, ଔଷଧ ପାଇଁ କାନ୍ଦୁଛନ୍ତି ଓ ସାହାଯ୍ୟ ଚିତ୍କାର କରୁଛନ୍ତି। ଆଉ ସେହି ସମୟରେ ସେମାନେ କିପରି ବିଶାଳ ରାଲି କରି ହସିପାରୁଛନ୍ତି।’ ଦେଶରେ ବର୍ତ୍ତମାନ ସ୍ଥିତି ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଥିଲେ ମଧ୍ୟ ପଶ୍ଚିମବଙ୍ଗ ନିର୍ବାଚନରେ ରାଲି କରୁଛନ୍ତି କେନ୍ଦ୍ର ସରକାର। ଦେଶରେ ସଠିକ ରଣନୀତି ନଥିବାରୁ ଆଜି ଅକ୍ସିଜେନର ଅଭାବ ଦେଖାଦେଇଛି। ଅପରପକ୍ଷରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଅକ୍ସିଜେନ ଉତ୍ପାଦକ। ଯଦି ବିଶ୍ୱରେ ଅକ୍ସିଜେନ ଉତ୍ପାଦନ କ୍ଷେତ୍ରରେ ଭାରତ ଆଗରେ ରହିଛି, ତେବେ କାହିଁକି ଦେଶରେ ହସ୍ପିଟାଲରେ ଅକ୍ସିଜେନର ଅଭାବ ଦେଖାଦେଇଛି।

ସେହିପରି ଗତ ୬ ମାସ ମଧ୍ୟରେ ଦେଶରୁ ୧.୧ ମିଲିୟନ ରେମଡିସିଭର ଇଞ୍ଜେକ୍ସନ ୬ ମାସ ମଧ୍ୟରେ ବିଦେଶକୁ ପଠାଯାଇଛି। ଯାହାର ଫଳରେ ଆଜି ଆମ ଦେଶରେ ଇଞ୍ଜେକ୍ସନ ମିଳୁନାହିଁ। ସେହିପରି ଜାନୁଆରୀ-ମାର୍ଚ୍ଚ ମାସ ମଧ୍ୟରେ ୬ କୋଟି କରୋନା ଭ୍ୟାକ୍ସିନ ରପ୍ତାନି କରାଯାଇଥିବାବେଳେ ଦେଶରେ ବର୍ତ୍ତମାନ କେବଳ ୩ରୁ ୪ କୋଟି ଲୋକ ଟିକା ନେଇଛନ୍ତି। ବିଭିନ୍ନ ସ୍ଥାନରୁ କରୋନାର ଏଭଳି ରିପୋର୍ଟ ଆସୁଛି, ଯାହାକୁ ଦେଖିଲେ ସରକାର କ’ଣ କରୁଛନ୍ତି ତାହା ବୁଝାପଡୁନି। ତେଣୁ ସରକାର ପାୱାର ଅପେକ୍ଷା ପବ୍ଲିକ ହେଲଥକୁ ଗୁରୁତ୍ୱ ଦେବାକୁ ହେବ। ସରକାର କରୋନାର ଦ୍ୱିତୀୟ ଲହରୀକୁ ରୋକିବାରେ ଫେଲ ହୋଇଛନ୍ତି। କରୋନାର ଦ୍ୱିତୀୟ ଲହରୀ ଘାତକ ହେବା ପୂର୍ବରୁ କାହିଁକି ସରକାର ଆଗୁଆ ପଦକ୍ଷେପ ନେଲେ ନାହିଁ ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି।