ଆସନ୍ତାକାଲି ଠାରୁ ଗଡିବ ଘରୋଇ ବସ୍; ଭଡା ବୃଦ୍ଧି ପାଇବ ନାହିଁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ଚାଲିବ ଘରୋଇ ବସ୍। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସାଧାରଣ ପରିଷଦର ବୈଠକ ପରେ ଏନେଇ ନିଷ୍ପତ୍ତି ହୋଇଛି। ତେବେ ବସ୍ ଭଡା ବୃଦ୍ଧି ପାଇବ ନାହିଁ। ପୂର୍ବ ଭଡା ଅନୁଯାୟୀ ବ୍ୟବସ୍ଥା ଜାରି ରହିବ ବୋଲି ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ଶ୍ରୀ ସାହୁ କହିଛନ୍ତି ଯେ, ଆସନ୍ତାକାଲି ପ୍ରଥମ ଦଫାରେ କିଛି ବସ୍ ଚଳାଚଳ କରିବ। ପୂର୍ଣ୍ଣ ମାତ୍ରରେ ବସ୍ ଚଳାଚଳ ଲାଗି ୧୦ଦିନ ସମୟ ଲାଗିବ। ତେବେ ସଂଘର ଦାବି ଅନୁଯାୟୀ, ବସ୍ ଚାଳକ, ହେଲପର, କଣ୍ଡକ୍ଟରଙ୍କ ବୀମା କରାଯିବ। ମାର୍ଚ୍ଚ ମାସ ଟ୍ୟାକ୍ସ ଜୁଲାଇରେ ଆଡଜଷ୍ଟ କରାଯିବା ନେଇ ପରିବହନ ମନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ଏଭଳି ନିଷ୍ପତ୍ତି ହୋଇଥିବା ଶ୍ରୀ ସାହୁ କହିଛନ୍ତି।

ପ୍ରକାଶଥାଉ କି, ବିମାନ ଚଳାଚଳ ଠାରୁ ଆରମ୍ଭ କରି ଟ୍ରେନ ଚଳାଚଳ ପର୍ଯ୍ୟନ୍ତ ସବୁ କିଛି ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ ବସ୍ ଚଳାଚଳ ନେଇ ସମସ୍ୟା ଲାଗି ରହିଥିଲା। ସଂଘ ପକ୍ଷରୁ ୩ଦଫା ଦାବି ଯଥା ୨ମାସର ରୋଡ ଟାକ୍ସ ଛାଡ, ଇନ୍ସ୍ୟୁରାନ୍ସ ଦେୟ ଅବଧି ବୃଦ୍ଧି ଏବଂ ଋଣ କିସ୍ତି ଛାଡ କରିବାକୁ ଦାବି କରାଯାଇଥିଲା। ତେବେ ସଂଘର ଦାବି ପୂରଣ କରିବା ନେଇ ରାଜ୍ୟ ସରକାର ରାଜି ଅଛନ୍ତି। ବୁଧବାର ଚଣ୍ଡିଖୋଲରେ ରାଜ୍ୟ ଘରୋଇ ବସ ମାଲିକ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବସ ଚଳାଚଳ କରିବା ନେଇ ନିଷ୍ପତ୍ତି ସଂଘ ପକ୍ଷରୁ ନିଆଯାଇଛି । ତେବେ ବସ୍ରେ ଯେତିକି ସଂଖ୍ୟକ ସିଟ୍ ଥିବ ସେତିକି ଯାତ୍ରୀ ଯାତ୍ରା କରିବେ। ବସ୍ରେ କୌଣସି ଯାତ୍ରୀ ଛିଡ଼ା ହୋଇ ଯାଇପାରିବେ ନାହିଁ। ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସଭାପତି ଲୋକନାଥ ପାଣି, ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ବରାଦା ପ୍ରସନ୍ନ ଆଚାର୍ଯ୍ୟ, ମୁଖପାତ୍ର ଦେବାଶିଷ ନାୟକ, ସହକୋଷାଧ୍ୟକ୍ଷ ଅଜୟ କୁମାର ବାରିକ ଏବଂ ରାଜ୍ୟର ସମସ୍ତ ଆଞ୍ଚଳିକ ସଂଘର ପ୍ରତିନିଧି ଓ ଚଣ୍ଡିଖୋଲ ସଂଘର ସଭାପତି ଅମରେନ୍ଦ୍ର ନାୟକ, ସମ୍ପାଦକ ଦିଲ୍ଲିପ ଚୌଧୂରୀ ପ୍ରମୁଖ ଉପସ୍ଥିତ ଥିଲେ।