ସରକାରୀ ସହୟତା ଦାବି କଲେ ଘରୋଇ ବସ ଶ୍ରମିକ ସଙ୍ଘ

ଝାରସୁଗୁଡା,ଏନ୍ଏନ୍ଏସ୍: ଘରୋଇ ବସ ଡ୍ରାଇଭର ଓ କର୍ମଚାରୀଙ୍କୁ ଆର୍ଥିକ ସହଯୋଗ ଓ ବିଭିନ୍ନ ସରକାରୀ ସହୟତା ଯୋଗାଇ ଦିଆଯାଉ ବୋଲି ଝାରସୁଗୁଡା ଜିଲ୍ଲା ଘରୋଇ ଟ୍ରାନ୍ସପୋର୍ଟ ସଙ୍ଘର ଶ୍ରମିକମାନେ ଦାବି କରିଛନ୍ତି। ସେମାନେ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ୪ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି। ସେମାନେ କହିଛନ୍ତି ପ୍ରତ୍ୟେକ ବସ କର୍ମଚାରୀଙ୍କୁ ବୀମା ଓ ୬ ମାସର ଦରମା ଯୋଗାଇ ଦିଆଯାଉ।

ସେମାନଙ୍କୁ ଜିଲ୍ଲା ଖଣିଜ ପାଣ୍ଠିରୁ ମାସକୁ ୧୦ ହଜାର ଟଙ୍କା ହିସାବରେ ସହାୟତା ରାଶି ପ୍ରଦାନ କରାଯାଉ। ସେମାନଙ୍କୁ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା ଯେମିତି କାର୍ଯ୍ୟ କରିବାକୁ ନ ପଡେ ତାର ବ୍ୟବସ୍ଥ କରାଯାଉ। ପ୍ରତ୍ୟେକ ବସ୍ କର୍ମଚାରୀଙ୍କ ପାଇଁ ଇଏସ୍ଆଇ, ପେନସନର ବ୍ୟବସ୍ଥା କରିବା ସହ ବ୍ୟାଙ୍କ ଜରିଆରେ ଦରମା ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ମୁକାବିଲା ପାଇଁ କରାଯାଇଥିବା ଲକଡାଉନ ଯୋଗୁଁ ଘରୋଇ ବସ ଡ୍ରାଇଭର ଓ କର୍ମଚାରୀମାନଙ୍କ ଆର୍ଥକ ମେରୁଦଣ୍ଡ ଭାଙ୍ଗିପଡିଛି। ଫଳରେ ପ୍ରାୟ ୨ ମାସରୁ ଊର୍ଦ୍ଧ୍ୱ ହେଲାଣି ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ପରିବାର ପ୍ରତିପୋଷଣ କରୁଛନ୍ତି।

କରୋନା ସଂକ୍ରମଣ ଭୟ ଥିଲେ ମଧ୍ୟ ଲୋକଙ୍କ ସେବାରେ ସେମାନେ ନିଜକୁ ନିୟୋଜିତ କରିଛନ୍ତି। ସାଧାରଣ ଲୋକଙ୍କଠୁ ନେଇ ପ୍ରବାସୀ ଶ୍ରମିକମାନଙ୍କୁ ସେମାନେ ଘରକୁ ଫହଞ୍ଚାଉଛନ୍ତି। ସରକାର କରୋନା ଯୁଦ୍ଧରେ ସାମିଲ ଥିବା ପ୍ରତ୍ୟେକଙ୍କ ପାଇଁ ସରକାରୀ ସହାୟତା ଓ ସୁବିଧା ଯୋଗାଇଛନ୍ତି। ତେଣୁ କରୋନା ସମୟରେ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିଲେ ମଧ୍ୟ ଲୋକଙ୍କ ସେବାରେ ପୁନଃ କାର୍ଯ୍ୟ କ୍ଷେତ୍ରକୁ ଓହ୍ଲାଇଥିବା ବସ କର୍ମାଚାରୀଙ୍କୁ ସରାକାରୀ ସହାୟତା ଯୋଗାଇଦିଆଯାଉ ବୋଲି ସଙ୍ଘ ପକ୍ଷରୁ ଦାବି କରାଯାଇଛି।