ମୁମ୍ବାଇ,ଏଜେନ୍ସି: ସେଲ୍ଫି ନେବାକୁ ମନା କରିବାରୁ ଭାରତୀୟ କ୍ରିକେଟର ପୃଥ୍ବୀ ଶଙ୍କୁ ଆକ୍ରମଣ । ମୁମ୍ବାଇ ନିକଟ ସାନ୍ତାକ୍ରୁଜସ୍ଥିତ ଏକ ବିମାନବନ୍ଦର ନିକଟରେ ଥିବା ଏକ ହୋଟେଲରେ ଖାଇବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହେଲେ ପୃଥ୍ବୀ ଶ । ଜଣେ ଯୁବତୀ ତାଙ୍କୁ ଆକ୍ରମଣ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ଉକ୍ତ ଯୁବତୀ ହେଉଛନ୍ତି ସ୍ବପ୍ନା ଗିଲ, ଏବଂ ତାଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି । ଏହି ମାମଲାରେ ସମୁଦାୟ ୮ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ମୁମ୍ବାଇ ନିକଟ ସାନ୍ତାକ୍ରୁଜସ୍ଥିତ ଏକ ବିମାନବନ୍ଦର ନିକଟରେ ଥିବା ଏକ ହୋଟେଲରେ ଖାଇବା ପାଇଁ ପୃଥ୍ବୀ ଶ ନିଜର ବନ୍ଧୁ ଆଶିଷ ଯାଦବଙ୍କ ସହ ଯାଇଥିଲେ । ତେବେ ସେଠାରେ ଦୁଇଜଣ ଯୁବକ ପୃଥ୍ବୀ ଶଙ୍କ ପାଖକୁ ସେଲ୍ଫି ନେବା ପାଇଁ ଆସିଥିଲେ । ତେବେ ପ୍ରଥମେ ପୃଥ୍ବୀ ସେମାନଙ୍କ ସହ ସେଲ୍ଫି ନେଇଥିଲେ । କିନ୍ତୁ ସେମାନେ ବାରମ୍ବାର ସେଲ୍ଫି ନେବାକୁ ଜିଦି କରିଥିଲେ । ଏହାପରେ ପୃଥ୍ବୀ ସେମାନଙ୍କୁ ମନା କରିଦେଇଥିଲେ । ଏଥିରେ ଦୁଇ ଯୁବକ ଉତ୍ତ୍ୟକ୍ତ ହୋଇ ସେମାନଙ୍କ ସହିତ ଯୁକ୍ତି ଆରମ୍ଭ କରିଦେଇଥିଲେ ।
ଏହା ଦେଖିବା ପରେ ସେହି ହୋଟେଲର ମ୍ୟାନେଜର ଏହି ମାମେରେ ହସ୍ତକ୍ଷେପ କରିଥିଲେ । ପୃଥ୍ବୀଙ୍କ ସହ ପାଟିତୁଣ୍ଡ କରୁଥିବା ଯୁବକଙ୍କୁ ହୋଟେଲ ପରିସରରୁ ବାହାରି ଯିବାକୁ କହିଥିଲେ । ଏହାପରେ ଉଭୟ ବନ୍ଧୁ ହୋଟେଲରେ ରାତ୍ରୀ ଭୋଜନ କରିଥିଲେ । କିନ୍ତୁ ଏହାପରେ ଯେତେବେଳେ ସେମାନେ ହୋଟେଲରୁ ବାହାରକୁ ବାହାରୁଥିଲେ, ସେହି ସମୟରେ ସେବି ଯୁବକ ହୋଟେଲ ବାହାରେ ବେସବଲ ଖେଳାଯାଉଥିବା ବ୍ୟାଟ୍ ଧରି ଛିଡ଼ା ହୋଇଥିଲେ । ପୃଥ୍ବୀ ଓ ତାଙ୍କ ବନ୍ଧୁ ଆଶିଷ କାରରେ ବସି ଯିବାପରେ କିଛି ବାଟ ପିଛାକରି ସେ ଏହି କାରର କାଚକୁ ମାରି ଭାଙ୍ଗି ଦେଇଥିଲେ । ଏହାପରେ ପୃଥ୍ବୀଙ୍କୁ ଅନ୍ୟ ଏକ କାରରେ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ବନ୍ଧୁ ଆଶିଷ ଓ ତାଙ୍କର ଅନ୍ୟ ସହଯୋଗୀ ଆଶିଷଙ୍କ କାରକୁ ନେଇ ଓସିବାରା ଯାଇଥିଲେ ।