କେନ୍ଦୁଝର ଜେଲରେ ବିଚାରାଧୀନ କଏଦୀ ମୃତ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜେଲରେ କଏଦୀ ମୃତ୍ୟୁ ହୋଇଥିବା ଘଟଣାରେ ମଙ୍ଗଳବାର ପଶ୍ଚିମାଞ୍ଚଳ ଡିଆଇଜି ଅମୀୟ ପଟ୍ଟନାୟକ ଜିଲ୍ଲା କାରାଗାରରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ସୂଚନା ଅନୁଯାୟୀ ଏକ ନାବାଳିକା ଦୁଷ୍କର୍ମ ମାମଲାରେ କେନ୍ଦୁଝର ଜେଲର ବିଚାରାଧୀନ କଏଦୀ ଭାବେ ରହୁଥିବା ପ୍ରଦୀପ ବେହେରା ସୋମବାର ଅପରାହ୍ଣରେ ଆତ୍ମହତ୍ୟା କରିଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ତେବେ ମଙ୍ଗଳବାର ଅପରାହ୍ଣ ପର୍ୟ୍ୟନ୍ତ ତାଙ୍କର ମୃତଦେହ ବାହାର କରାଯାଇ ନାହିଁ। ଅପରପକ୍ଷରେ ମୃତ କଏଦୀଙ୍କ ପରିବାର କେନ୍ଦୁଝର ଟାଉନ ଥାନାରେ ଏତାଲା ଦେଇ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଓ କ୍ଷତିପୂରଣ ଦାବି କରିଛନ୍ତି । ପରିବାର ତରଫରୁ ଜିଲ୍ଲାପାଳଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।