ରାଜ୍ୟ ଗୃହ ବିଭାଗର ପ୍ରମୁଖ ଶାସନ ସଚିବଙ୍କ କନ୍ଧମାଳ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ

କନ୍ଧମାଳ : ଓଡ଼ିଶା ସରକାରଙ୍କ ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୀବ ଚୋପ୍ରା ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ୨୧ ତାରିଖ ଅପରାହ୍ନରେ ଜିଲ୍ଲାର ବିଭିନ୍ନ ଅଂଚଳ ବୁଲିବା ସଙ୍ଗେସଙ୍ଗେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସଂପୃକ୍ତ ସରକାରୀ ପଦାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଏହି କ୍ରମରେ, ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ସଦ୍ଭାବନା ସଭାଗୃହରେ ଏକ ସମୀକ୍ଷା ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈ÷ଠକରେ ଜିଲ୍ଲାର ସମସ୍ତ ସରକାରୀ ପଦାଧିକାରୀ ଉପସ୍ଥିତ ରହି ନିଜ ନିଜ ବିଭାଗର କାର୍ୟ୍ୟାବଳୀ ଏବଂ ଏ’ ଦିଗରେ ପ୍ରତିବନ୍ଧକ ଗୁଡ଼ିକ ଉପରେ ସମ୍ୟକ ଧାରଣା ଦେଇଥିଲେ । ସାଧାରଣ ଜନତାଙ୍କୁ ସେବା ଯୋଗାଇବା ଦିଗରେ ଜିଲ୍ଲାର ଅଧିକାରୀମାନଙ୍କୁ ସମ୍ବେଦନଶୀଳ କରାଇବା ତାଙ୍କ ଗସ୍ତର ମୂଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ଚୋପାର କହିଥିଲେ । ପୁତୁଡ଼ି ଜଳ ପ୍ରପାତର ଉନ୍ନତିକରଣ ପାଇଁ ଖୁବ୍ ଶୀଘ୍ର କାର୍ୟ୍ୟ ଆରମ୍ଭ କରାଯିବ । ଆବଶ୍ୟକ ସ୍ଥଳେ କନ୍ଧମାଳ ଜିଲ୍ଲା ପାଇଁ ତାଙ୍କର କାର୍ୟ୍ୟକାଳ ୩ ମାସରୁ ୬ ମାସକୁ ବୃଦ୍ଧି କରି ପ୍ରତି ମାସରେ ଗସ୍ତ କରିବେ ଏବଂ ସମୀକ୍ଷା ମଧ୍ୟ କରିବେ ବୋଲି ଶ୍ରୀ ଚୋପ୍ରା କହିଥିଲେ ।

ସମାଜ ମଙ୍ଗଳ ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ, ମମତା ଯୋଜନାରେ ପଞ୍ଜୀକୃତ ୨୦ ହଜାର ୬୬୯ ଜଣ ଗର୍ଭବତୀଙ୍କ ମଧ୍ୟରୁ ୨୦ ହଜାର ୬୫୦ ଜଣଙ୍କ ପାଖକୁ ପ୍ରଥମ କିସ୍ତି ଟଙ୍କା ପଠାଯାଇଛି । ବାକି ୧୯ ଜଣଙ୍କର ଭୁଲ୍ ଆକାଉଣ୍ଟଣ୍ଟନମ୍ବର ଯୋଗୁଁ ଟଙ୍କା ପଠାଯାଇପାରୁ ନାହିଁ । ସେହିପରି, ୧୨ ହଜାର ୫୮ ଜଣଙ୍କ ମଧ୍ୟରୁ ୧୨ ହଜାର ୩୫ ଜଣଙ୍କ ହିସାବ ଖାତାକୁ ଦ୍ୱିତୀୟ କିସ୍ତି ଟଙ୍କା ପଠାଯାଇଛି । ଜିଲ୍ଲାରେ କାର୍ୟ୍ୟକ୍ଷମ ଥିବା ୨ ହଜାର ୧୦୨ ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ସରକାରଙ୍କର ନିଜସ୍ୱ ଘରେ ୧ ହଜାର ୫୦୩ ଟି କେନ୍ଦ୍ର କାର୍ୟ୍ୟ କରୁଛି ।

ଜିଲ୍ଲା ମିଶନ ଶକ୍ତି ସଂଯୋଜିକାଙ୍କ ସୂତ୍ରରୁ ପ୍ରକାଶ ଯେ, ଜିଲ୍ଲାରେ ସମୁଦାୟ ୧୪ ହଜାର ୭୨୧ ଟି ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି । ସେଥିମଧ୍ୟରୁ ୭ ହଜାର ୭୭୩ ଟି ଗୋଷ୍ଠୀ ୧୫ ହଜାର ଟଙ୍କା ଲେଖାଏଁ ପାଇଥିବାବେଳେ ୭ ହଜାର୫୩୬ଟି ଗୋଷ୍ଠୀ ୩ ହଜାର ଟଙ୍କା ଲେଖାଏ ପାଇଛନ୍ତି । ଗ୍ରାମ୍ୟ ଗୃହ ନିର୍ମାଣ କ୍ଷେତ୍ରରେ ବିଭିନ୍ନ ସମସ୍ୟା ରହୁଥିବାରୁ ଧାର୍ୟ୍ୟ ଲକ୍ଷ୍ୟ ପୂରଣ ହୋଇପାରୁନି ବୋଲି ବିଭାଗୀୟ ଅଧିକାରୀ କହିଥିଲେ ।

ଉଠା ଜଳସେଚନ ବିଭାଗୀୟ ଅଧିକାରୀ କ୍ଲଷ୍ଟର ବୋର ୱେଲ୍, ଡିପ୍ ବୋର ୱେଲ୍ ଏବଂ ଉଠା ଜଳସେଚନ ଯୋଜନା, ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ନିରାମୟ ଯୋଜନା, ଶ୍ରମ ବିଭାଗୀୟ ଅଧିକାରୀ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ପଞ୍ଝାୟତି ରାଜ ଓ ପାନୀୟ ଜଳ ବିଭାଗୀୟ ଅଧିକାରୀ ପାନୀୟ ଜଳ, ଶକ୍ତି ଓ ବିଦ୍ୟୁତ ବିଭାଗୀୟ ଅଧିକାରୀ ଗ୍ରାମ୍ୟ ବିଦ୍ୟୁତିକରଣ, ବେସରକାରୀ ଯୋଗାଣ ବିଭାଗୀୟ ଅଧିକାରୀ ପି.ଡି.ଏସ୍., ଏନ.ଏଫ.ଏସ.ଏ ଓ ରାଜ୍ୟ ଖାଦ୍ୟ ନିରାପତା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗୀୟ ଅଧିକାରୀ ବିଭିନ୍ନ ପେନ୍ସନ୍ ଯୋଜନା , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଶିକ୍ଷା ବିଭାଗ ଓ କଲ୍ୟାଣ ବିଭାଗର ଅଧିକାରୀମାନେ ସେମାନଙ୍କ ଅଧିନରେ ଥିବା ହଷ୍ଟେଲ୍, ସାମାଜିକ କଲ୍ୟାଣ ବିଭାଗ ଅଧିକାରୀ ସମନ୍ୱିତ ଶିଶୁ ବିକାଶ ଯୋଜନା ଉପରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାର କୃଷି, ଜଳସେଚନ, ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ଶ୍ରୀ ଚୋପ୍ରା ଅଧିକ ଗୁରୁତ୍ୱ ଦେଇଥିଲେ । ଉକ୍ତ ବୈଠକରେ, କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି., ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବସନ୍ତ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବିଶ୍ୱନାଥ ବାରିକଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ପଦାଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।