୭୫ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଶୁକ୍ରବାର ଦିନ ଖାଦ୍ୟ ଓ କୃଷି ସଂଗଠନର ୭୫ତମ ବାର୍ଷିକୀ ପାଳନ ଅବସରରେ ଏକ ୭୫ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ। ଖାଦ୍ୟ ଓ କୃଷି ସଂଗଠନ ଦେଶର ଗରିବ ଶ୍ରେଣୀର ଲୋକମାନଙ୍କୁ ଅର୍ଥନୈତିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରାଇବା ସହ ସେମାନଙ୍କୁ ଉତ୍ତମ ପୁଷ୍ଟି ଯୋଗାଇ ଆସୁଛି। ପ୍ରଧାନମନ୍ତ୍ରୀ ୮ଟି ଶସ୍ୟର ଜୈବିକ ଦୃଷ୍ଟିରୁ ବିକଶିତ ୧୭ ପ୍ରକାରକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି କିସମର ଶସ୍ୟଗୁଡିକ ସମେତ ଅନ୍ୟ ଖାଦ୍ୟଶସ୍ୟଗୁଡିକ ଦେଶର ଜନସାଧାରଣଙ୍କୁ ଉତ୍ତମ ପୁଷ୍ଟି ଯୋଗାଇବ। ସ୍ଥାନୀୟ କୃଷକମାନଙ୍କ ଦ୍ୱାରା ସେହି କିସମର ଶସ୍ୟଗୁଡିକୁ ବିକଶିତ କରାଯାଇଛି। ଜୈବିକ ଦୃଷ୍ଟିରୁ ବିକଶିତ ଫସଲଗୁଡିକ ଉତ୍ପାଦନକୁ ବିଭିନ୍ନ ସରକାରୀ ଯୋଜନା ସହ ସଂଯୋଗ କରାଯିବ।

ସେଗୁଡିକ ମଧ୍ୟରେ ମଧ୍ୟାହ୍ନ ଭୋଜନ ଯୋଜନା ଓ ଅଙ୍ଗନବାଡି ଯୋଜନା ପ୍ରଭୃତି ଅନ୍ତର୍ଭୁକ୍ତ। ଏହାଦ୍ୱାରା ଦେଶରୁ କୁପୋଷଣକୁ ଦୂର କରାଯାଇପାରିବ। ଏହାଦ୍ୱାରା ମଧ୍ୟ କୃଷକମାନଙ୍କର ଆୟ ବୃଦ୍ଧି ପାଇବ। ସରକାରଙ୍କର ଏହିସବୁ ପଦକ୍ଷେପରୁ ଦେଶର କୃଷିକ୍ଷେତ୍ର ପ୍ରତି ସରକାର କେତେମାତ୍ରାରେ ଧ୍ୟାନ ଦେଉଛନ୍ତି ଓ ଲୋକମାନଙ୍କୁ ପୁଷ୍ଟିି ଯୋଗାଣ ଦିଗରେ କ’ଣ ସବୁ ପଦକ୍ଷେପ ନେଉଛନ୍ତି, ତାହା ସ୍ପଷ୍ଟ ପ୍ରମାଣ ମିଳୁଛି। ସରକାର ଦେଶରୁ କ୍ଷୁଧା ଓ କୁପୋଷଣ ଦୂର କରିବାକୁ ସଂକଳ୍ପବଦ୍ଧ ବୋଲି ଦେଶରେ ଅଙ୍ଗନବାଡି, କୃଷିବିଜ୍ଞାନ କେନ୍ଦ୍ର, ଜୈବିକ ଚାଷ ଓ ଉଦ୍ୟାନ ବିଦ୍ୟା ମିଶନଗୁଡିକର କାର୍ଯ୍ୟରୁ ସ୍ପଷ୍ଟ ହେଉଛି।