ପାଟନା,ଏଜେନ୍ସି: ଆଜି ବିହାରରେ ତିନୋଟି ପେଟ୍ରୋଲିୟମ ପ୍ରକଳ୍ପକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପ୍ରକଳ୍ପରେ ପାରାଦୀପ-ହଳଦିଆ-ଦୁର୍ଗାପୁର ଗ୍ୟାସ ପାଇପଲାଇନ ଯାହା ଦୁର୍ଗାପୁର-ବଙ୍କା ଖଣ୍ଡ ପର୍ଯ୍ୟନ୍ତ ବିସ୍ତାର କରାଯାଇଛି। ଏଥିସହିତ ମୋଦୀ ଦୁଇଟି ଏଲପିଜି ବଟଲିଂ ପ୍ଲାଣ୍ଟକୁ ମଧ୍ୟ ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ଫେବୃଆରୀ ୨୦୧୯ ରେ ଏହି ଗ୍ୟାସ ପାଇପଲାଇନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଆଜି ଏହାକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି।
ରାଷ୍ଟ୍ରାୟତ୍ତ ଭାରତୀୟ ତୈଳ ନିଗମ ଦ୍ୱାରା ନିର୍ମିତ ୧୯୩ କିଲୋମିଟର ଦୁର୍ଗାପୁର-ବଙ୍କା ପାଇପଲାଇନକୁ ଦେଶ ଉଦେଶ୍ୟରେ ସମର୍ପଣ କରାଯିବା ସହ ବାଙ୍କାସ୍ଥିତ ଏଲପିଜି ବଟଲିଂ ପ୍ଲାଣ୍ଟ ଓ ଚମ୍ପାରଣର ହରସିଦ୍ଧରେ ମଧ୍ୟ ଏକ ଏଲପିଜି ବଟଲିଂ ପ୍ଲାଣ୍ଟ ଉଦଘାଟନ କରିଛନ୍ତି। ଭାରତୀୟ ତୈଳ ନିଗମ ଦ୍ୱାରା ବାଙ୍କାରେ ନିର୍ମିତ ଏଲପିଜି ବଟଲିଂ ପ୍ଲାଣ୍ଟ ୧୩୧.୭୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ବାଙ୍କାରେ ନିର୍ମିତ ଏଲପିଜି ବଟଲିଂ ପ୍ଲାଣ୍ଟ ଦ୍ୱାରା ଭାଗଲପୁର, ବଙ୍କା, ଜାମୁଇ, ଆରାରିଆ, କିଶାନଗଞ୍ଜ ଏବଂ କାଟିହର ଜିଲ୍ଲାର ଲୋକମାନେ ଉପକୃତ ହେବେ। ସେହିପରି ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ଦ୍ୱାରା ଚମ୍ପାରଣର ହରସିଦ୍ଧରେ ୧୩୬.୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏଲପିଜି ବଟଲିଂ ପ୍ଲାଣ୍ଟରେ ଦୈନିକ ୪୦ ହଜାର ସିଲିଣ୍ଡର ଉତ୍ପାଦନ କ୍ଷମତା ରହିଥବା ବେଳେ ଏହି ବଟଲିଂ ପ୍ଲାଣ୍ଟ ଫଳରେ ପୂର୍ବ ଚମ୍ପାରଣ, ପଶ୍ଚିମ ଚମ୍ପାରଣ, ମୁଜାଫରପୁର, ସିୱାନ, ଗୋପାଳଗଞ୍ଜ ଏବଂ ସୀତାମାର ଜିଲ୍ଲାର ଲୋକଙ୍କୁ ଉପକୃତ କରିବ।