କ୍ରମଶଃ ଉତ୍କଟ ହେଉଛି ତୈଳ ସମସ୍ୟା: ଚଳିତବର୍ଷର ସର୍ବୋଚ୍ଚ ସ୍ତରରେ ପେଟ୍ରୋଲ୍

-ଲିଟର ପିଛା ୭୪ ଟଙ୍କା

ନୂଆଦିଲ୍ଲୀ: ଦେଶରେ ଉଭୟ ପେଟ୍ରୋଲ୍ ଏବଂ ଡିଜେଲ୍ ମୂଲ୍ୟ କ୍ରମାଗତ ଆକାଶଛୁଆଁ ହେବାରେ ଲାଗିଛି। ଅଶୋଧିତ ତୈଳଦରରେ ବୃଦ୍ଧି କାରଣରୁ ପେଟ୍ରୋଲ୍ ମୂଲ୍ୟ ବିଗତ ବର୍ଷେର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସୋମବାର ଦିଲ୍ଲୀରେ ପେଟ୍ରୋଲ୍ ଦାମ୍ ଲିଟର ପିଛା ୧୨ ପଇସା ବୃଦ୍ଧି ସହିତ ୭୪.୬୬ ଟଙ୍କାରେ ପହଞ୍ଚିଥିବାବେଳେ ଏହା ଚଳିତବର୍ଷର ସବୁଠୁ ଉଚ୍ଚସ୍ତର ବୋଲି ଉଲ୍ଲେଖ କରାଯାଇଛି। ଗତ ଚାରିଦିନ ମଧ୍ୟରେ ପେଟ୍ରୋଲ୍ ଲିଟର ପିଛା ୪୬ ପଇସା ଲେଖାଏଁ ମହଙ୍ଗା ହୋଇଛି। ମାତ୍ର ଡିଜେଲ୍ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

ସୋମବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ଲିଟର ପିଛା ୭୪.୬୬ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଗତବର୍ଷ ଏହି ଦିନ ଅର୍ଥାତ୍ ୨୦୧୮ ନଭେମ୍ବର ୨୫ରେ ପେଟ୍ରୋଲ୍ ୭୪.୮୪ ଟଙ୍କାରେ ବିକ୍ରି ହେଉଥିଲା। ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ୱେବସାଇଟ୍ ମୁତାବକ କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ୍ ଲିଟର ପିଛା ଯଥାକ୍ରମେ ୭୭.୩୪ ଟଙ୍କା, ୮୦.୩୨ ଟଙ୍କା ଏବଂ ୭୭.୬୨ ଟଙ୍କାରେ ପହଞ୍ଚିଛି। ମାତ୍ର ଡିଜେଲ୍ ମୂଲ୍ୟ ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇ ଆଦି ସହରରେ ଅପରିବର୍ତ୍ତିତ ରହିବା ସହିତ ସୋମବାର ଏହା ଯଥାକ୍ରମେ ୬୫.୭୩ ଟଙ୍କା, ୬୮.୧୪ ଟଙ୍କା, ୬୮.୯୪ ଟଙ୍କା ଏବଂ ୬୯.୪୭ ଟଙ୍କାରେ ଉପଲବ୍ଧ ହେଉଛି।

ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧକୁ ସମାଧାନ କରିବା ଦିଗରେ ହେଉଥିବା ପ୍ରଗତି ଏବଂ ଅଶୋଧିତ ତୈଳ ଉତ୍ପାଦକ ଓ ରପ୍ତାନୀକାରୀ ଦେଶଗୁଡ଼ିକର ସମୂହ ଓପେକ୍ ଦ୍ୱାରା ତୈଳ ଉତ୍ପାଦନରେ ରିହାତି ଆଗକୁ ମଧ୍ୟ ଜାରି ରହିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦରରେ ବୃଦ୍ଧି ଜାରି ରହିପାରେ ବୋଲି ଉଲ୍ଲେଖ କରାଯାଇଛି।

ସେପ୍ଟେମ୍ବରରେ ସାଉଦି ଆରବର ସରକାରୀ କମ୍ପାନୀ ସାଉଦି ଆରାମ୍କୋର ତୈଳ ପ୍ଲାଣ୍ଟ୍ ଉପରେ ହୋଇଥିବା ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦରରେ ଜୋରଦାର ବୃଦ୍ଧି ହୋଇଥିଲା। ଯାହାଫଳରେ ଭାରତରେ ପେଟ୍ରୋଲ୍ ଏବଂ ଡିଜେଲ୍ ମୂଲ୍ୟରେ ଭାରିମାତ୍ରାର ବୃଦ୍ଧି ଦେଖିବାକୁ ମିଳିଥିଲା ଏବଂ ଅକ୍ଟୋବର ପ୍ରାରମ୍ଭରେ ପେଟ୍ରୋଲ୍ ମୂଲ୍ୟ ଚଳିତବର୍ଷର ସର୍ବୋଚ୍ଚ ସ୍ତରରେ ରହିଥିଲା।