ଆଶ୍ୱସ୍ତି ପରେ ଗ୍ରାହକଙ୍କ ମୁଣ୍ଡରେ ଚଡ଼କ: ଦିଲ୍ଲୀରେ ପିଆଜ କିଲୋ ୮୦

ନୂଆଦିଲ୍ଲୀ: ମହରାଷ୍ଟ୍ର ଭଳି ପିଆଜ ଉତ୍ପାଦନକାରୀ ରାଜ୍ୟଗୁଡ଼ିକରେ ଭାରିମାତ୍ରାର ଲଗାଣ ବର୍ଷା କାରଣରୁ ପିଆଜ ଚାଷ ପ୍ରଭାବିତ ହୋଇ ଗତ ମାସରେ ଏହାର ମୂଲ୍ୟ ଆକାଶଛୁଆଁ ସ୍ତରରେ ପହଞ୍ଚିଥିଲା। ଧୀରେ ଧୀରେ ଏହା ସ୍ୱାଭାବିକ ସ୍ଥିତିକୁ ଫେରୁଥିବାବେଳେ ପୁଣି ଗ୍ରାହକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ବର୍ତ୍ତମାନ କେବଳ ଗୋଟିଏ ସପ୍ତାହ ମଧ୍ୟରେ ପିଆଜର ଖୁଚୁରା ଦର କିଲୋ ପିଛା ୪୫% ପର୍ଯ୍ୟନ୍ତ ବୃଦ୍ଧି ପାଇ ୮୦ ଟଙ୍କାରେ ପହଞ୍ଚିଛି।

ପିଆଜ ଯୋଗାଣ ବଢ଼ାଇବା ସହିତ ବର୍ଦ୍ଧିତ ମୂଲ୍ୟକୁ ରୋକିବା ଲାଗି କେନ୍ଦ୍ର ସରକାରଙ୍କ ଅନେକ ପ୍ରଚେଷ୍ଟା ସତ୍ତେ୍ୱ ଏହାର ମୂଲ୍ୟ ବୃଦ୍ଧିରେ ବ୍ରେକ୍ ଲାଗିବା ପରିବର୍ତ୍ତେ ଏହା ଆହୁରି ବଢ଼ିଚାଲିଛି। ଅକ୍ଟୋବର ୧ରେ ପିଆଜ କିଲୋ ପିଛା ୫୫ ଟଙ୍କାରେ ରହିଥିଲା। ଲଗାଣ ବର୍ଷା ଯୋଗୁଁ ଉତ୍ପାଦନ ଓ ଯୋଗାଣ ପ୍ରଭାବିତ ହେବାରୁ ମାସେରୁ ଅଧିକ ସମୟ ଧରି ଦିଲ୍ଲୀ-ଏନସିଆରରେ ପିଆଜ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ରହିଥିଲା।

ରିପୋର୍ଟ ମୁତାବକ, ବର୍ଷେ ପୂର୍ବର ଏହି ସମାନ ଅବଧି ତୁଳନାରେ ଚଳିତବର୍ଷ ଏଥିରେ ପ୍ରାୟ ତିନିଗୁଣା ବୃଦ୍ଧି ହୋଇଛି। ୨୦୧୮ ନଭେମ୍ବରରେ ଖୁଚୁରା ବଜାରରେ ପିଆଜ କିଲୋପିଛା ୩୦ରୁ ୩୫ ଟଙ୍କାରେ ବିକ୍ରି ହେଉଥିଲା। କେବଳ ଦିଲ୍ଲୀରେ ନୁହେଁ, ଦେଶର ପ୍ରାୟ ସମସ୍ତ ଅଞ୍ଚଳରେ ପିଆଜ ମୂଲ୍ୟ ବର୍ତ୍ତମାନ ସର୍ବୋଚ୍ଚ ସ୍ତରରେ ରହିଛି।