ଜିଲ୍ଲାର ସମସ୍ତ ପଞ୍ଚାୟତରେ ବ୍ୟାଙ୍କ ସେବା ପ୍ରଦାନକୁ ନେଇ ସମ୍ବାଦିକ ସମ୍ମିଳନୀ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ବ୍ୟାଙ୍କବିହୀନ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସେବା ଖୋଲିବା ନିଷ୍ପତ୍ତିକୁ ସାମ୍ବାଦିକ ସମ୍ମିଳନୀରେ ସ୍ୱାଗତ କରାଯାଇଛି । ରାଜ୍ୟ କ୍ୟାବିନେଟ ଓଡ଼ିଶାର ୪,୩୭୩ଟି ବ୍ୟାଙ୍କବିହୀନ ଗ୍ରାମ ପଞ୍ଚାୟତରେ ୫୦୦ କୋଟି ଟଙ୍କା ବଜେଟ ସହାୟତାରେ ୬ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ଯଥା ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ସମନ୍ୱୟ ରକ୍ଷା କରି “ସିଏସପି ପ୍ଲସ୍‌’ ବ୍ୟାଙ୍କିଂ ଆଉଟଲେଟ୍ ଖୋଲିବାର ଯୋଜନାକୁ ଅନୁମୋଦନ କରିଛନ୍ତି । ଏହାକୁ ନବରଙ୍ଗପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ସମ୍ବାଦିକ ସମ୍ମିଳନୀରେ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନବରଙ୍ଗପୁର ଜିଲ୍ଲାରେ ମୋଟ ୧୮୯ ଗ୍ରାମ ପଞ୍ଚାୟତ ମଧ୍ୟରୁ ୨୯ଟି ପଞ୍ଚାୟତରେ ବ୍ୟାଙ୍କ ସୁବିଧା ଥିବାବେଳେ ବର୍ତ୍ତମାନ ଏହି ଯୋଜନାରେ ବଳକା ୧୬୦ଟି ପଞ୍ଚାୟତର ଲୋକେ ସୁବିଧା ପାଇବା ସଙ୍ଗେ ସଙ୍ଗେ ନୂତନ ବ୍ୟାଙ୍କ ନିର୍ମାଣ ହେବ । ବ୍ୟାଙ୍କ ନିର୍ମାଣ ଦ୍ୱାରା ସ୍ଥାନୀୟ ଅଞ୍ଚଳର ବିକାଶ ହୋଇପାରିବା ସହିତ ରାଜ୍ୟର ସମସ୍ତ ବ୍ୟାଙ୍କ ବିହୀନ ଗ୍ରାମ ପଞ୍ଚାୟତରେ ରହୁଥିବା ଲୋକମାନେ ମାଗଣାରେ ସମସ୍ତ ପ୍ରକାର ବ୍ୟାଙ୍କିଂ ସେବା ପାଇପାରିବେ । ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି ଓ ଗର୍ଭବତୀ ମହିଳାମାନେ ଡୋରଷ୍ଟେପ୍ ବ୍ୟାଙ୍କିଂ ସେବା ପାଇବେ ଏବଂ ଠିକ୍ ସମୟରେ ସରକାରଙ୍କ ପ୍ରତ୍ୟେକ୍ଷ ଲାଭ ସ୍ଥାନାନ୍ତର(ଡି.ବି.ଟି) ଯୋଜନାର ସୁବିଧା ମଧ୍ୟ ପାଇପାରିବେ ବୋଲି ବିଧାୟକ ମନୋହର ରନ୍ଧାରୀ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ଜୋନ ଯୁବ ବିଜେଡି ସଭାପତି ତାପସ ତ୍ରିପାଠୀ, ପାପଡ଼ାହାଣ୍ଡି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା, ବ୍ଲକ ସଭାପତି ବିଦ୍ୟାଧର ମଲ୍ଲିକ, ନଗର ବିଜେଡି ସଭାପତି ପ୍ରମୋଦ ରଥ, ଆଇନଜୀବୀ ଆଶିଷ ରଂଜନ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ବିଜେଡ଼ି ନେତା ଓ କର୍ମୀ ଉପସ୍ଥିତ ଥିଲେ ।