ଆଜି ଆସିବେ ରାଷ୍ଟ୍ରପତି: ବିମାନବନ୍ଦରରେ ସ୍ୱାଗତ କରିବେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସ୍ୱତନ୍ତ୍ର ବିମାନ ଯୋଗେ ଦିନ ୧୨ଟା ୨୫ ମିନିଟ୍‌ରେ ଦିଲ୍ଲୀରୁ ବାହାରି ଅପରାହ୍ନ ୨ଟା ୪୫ ମିନିଟ୍‌ରେ ରାଷ୍ଟ୍ରପତି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ପ୍ରମୁଖ ବିମାନବନ୍ଦର ଠାରେ ଉପସ୍ଥିତ ରହି ମହାମହିମଙ୍କୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି।

ରବିବାର ଦିନ ପୁରୀରେ ରାଷ୍ଟ୍ରପତିଙ୍କର କାର୍ଯ୍ୟକ୍ରମ ରହିଥିବାରୁ ସେ ଭୁବନେଶ୍ୱରରେ ନହରି ସିଧାସଳଖ ପୁରୀ ବାହାରିଯିବେ। ୨ଟା ୪୫ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତି ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ହେଲିପକ୍ଟର ଯୋଗେ ୨ଟା ୫୫ ମିନିଟ୍‌ରେ ପୁରୀ ବାହାରିବେ। ତାଳବଣିଆ ସ୍ଥିତ ହେଲିପ୍ୟାଡ୍‌ରେ ୩ଟା ୨୫ମିନିଟ୍‌ରେ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଅବତରଣ କରିବ। ସେଠାରୁ ସେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ୱତନ୍ତ୍ର କାର୍କେଡ୍ ସହ ପୁରୀ ରାଜଭବନ ଯିବେ। ରାଜଭବନ ଠାରେ ପ୍ରାୟ ୧ ଘଣ୍ଟାର ବିଶ୍ରାମ ପରେ ରାଷ୍ଟ୍ରପତି ୪ଟା ୫୫ ମିନିଟ୍‌ରେ ଶ୍ରୀଜୀଉଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଆସିବେ । ମନ୍ଦିର ଭିତରେ ପ୍ରାୟ ୪୫ ମିନିଟ୍ ରାଷ୍ଟ୍ରପତି ରହିବେ। ମହାପ୍ରଭୁ ଓ ମହାଲକ୍ଷ୍ମୀଙ୍କ ଦର୍ଶନ କରିବା ସହ ଗରୁଡ଼ ସ୍ତମ୍ଭର ପରିକ୍ରମା କରିବେ। ଏହି ସକାଶେ ସୁରକ୍ଷା ଦୃଷ୍ଟିରୁ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏଁ ସାଧାରଣ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ମନ୍ଦିରରେ ପୂଜାର୍ଚ୍ଚନା ଓ ଦର୍ଶନ ସାରି ରାଷ୍ଟ୍ରପତି ରାଜଭବନ ପ୍ରତ୍ୟାବର୍ତ୍ତନ କରିବା ସହ ସେହିଠାରେ ରାତ୍ରିଯାପନ କରିବେ।

୨୦ ତାରିଖ ଅର୍ଥାତ୍ ରବିବାର ଦିନ ୧୦ଟା ୩୦ରେ ରାଷ୍ଟ୍ରପତି ବଡ଼ଦାଣ୍ଡ ସ୍ଥିତ ଚୈତନ୍ୟ ଗୌଡ଼ୀୟ ମଠ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହେବେ। ଗୌଡ଼ୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବା ରାଷ୍ଟ୍ରପତିଙ୍କର ଏହି ଗସ୍ତର ମୂଳ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ।

ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଏହି ସମାରୋହରେ ଏକ ସ୍ମରଣିକା ଉନ୍ମୋଚନର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ଗୌଡ଼ୀୟ ମଠ ପରିଦର୍ଶନ କରିବେ। ଏହାପରେ ଶରଧାବାଲି ଯାଇ ସେଠାରୁ ଅନୁଷ୍ଠିତ ହେବାକୁ ଥିବା ସାଧୁ ସମ୍ମିଳନୀରେ ଏକ ଘଣ୍ଟା ଧରି ସାମିଲ୍ ହେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୦ ପ୍ଲାଟୁନ ପୁଲିସ ଫୋର୍ସ ସହ ୨୦୦ ପୁଲିସ ଅଧିକାରୀ ମୁତୟନ ରହିବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଏହା ତୃତୀୟ ପୁରୀ ଗସ୍ତ ହୋଇଥିବା ବେଳେ ମାରାଥନ୍ କାର୍ଯକ୍ରମ ରହିଥିବାରୁ ଗୁଇନ୍ଦା ବିଭାଗ ସବୁ ସ୍ଥାନରେ ଆଗୁଆ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି।