ଓଡ଼ିଶାରୁ ୬ ଅଧିକାରୀ ପାଇବେ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ଲାଗି ଜେଲ ଅଧିକାରୀମାନଙ୍କୁ ସଂସ୍କାରମୂଳକ ସେବା ପଦକ ପ୍ରଦାନ କରାଯିବ । ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ ଦେଶର ବିଭିନ୍ନ ରାଜ୍ୟରୁ ୩୫ ଜଣ ଜେଲ ଅଧିକାରୀଙ୍କ ନାମ ଘୋଷଣା କରାଯାଇଛି । ଏମାନଙ୍କ ମଧ୍ୟରୁ ୬ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ଏବଂ ୨୯ ଜଣଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ ।

ଓଡ଼ିଶାରୁ ୩ ଜଣ ଜେଲ ଅଧିକାରୀଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ମିଳିବ । ସେମାନେ ହେଲେ ସମ୍ବଲପୁର ଜିଲ୍ଲା ଶିକ୍ଷାନବୀସ ଅଧିକାରୀ ନିରଞ୍ଜନ ସାହୁ, ଜୟପୁର ସବଜେଲର ଜେଲର ଲଲାଟେନ୍ଦୁ ଭୂଷଣ ଦାସ ଓ ସମ୍ବଲପୁର ନାରୀ ବନ୍ଦୀ ନିକେତନର ଅତିରିକ୍ତ ମାଟ୍ରନ ଶ୍ରୀମତୀ ସୋଭାଗିନୀ ସିଂ ।

ଅନ୍ୟପକ୍ଷରେ ଉଲ୍ଲେଖନୀୟ ସେବା ପାଇଁ ଅନୁଗୁଳ ନିରୀକ୍ଷଣ ଏବଂ ସ୍ୱତନ୍ତ୍ର ଗୃହର ଅଧିକ୍ଷକ ଅମିର କୁମାର ନାଥଶର୍ମା, ଗୁଣପୁର ସବଜେଲ ଜେଲର ଧୀରେନ୍ଦ୍ର ନାଥ ବାରିକ ଓ କଟକ ସର୍କଲ ଜେଲର ବନ୍ଦୀ କଲ୍ୟାଣ ଅଧିକାରୀ ଶ୍ରୀ ରାମକୃଷ୍ଣ ଦାସ ।