ଆଜିଠୁ ୨ ଦିନିଆ ମଧ୍ୟପ୍ରଦେଶ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୋପାଳ,ଏଜେନ୍ସି: ଆଜିଠୁ ଦୁଇଦିନିଆ ମଧ୍ୟପ୍ରଦେଶ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି । ଧରତ୍ରୀ ଆବା ବିର୍ସାମୁଣ୍ଡାଙ୍କ ଜନ୍ମଜୟନ୍ତୀ ଅବସରରେ ଲାଲପୁରରେ ହେବାକୁ ଥିବା ଆଦିବାସୀ ପରେଡ ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ମଧ୍ୟପ୍ରଦେଶରେ ପେସା ଅଧୀନିୟମର କାର୍ଯ୍ୟକାରିତା ଉପରେ ରାଷ୍ଟ୍ରପତି ଅଧ୍ୟକ୍ଷତା କରିବେ । ଏହା ପରେ ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ଭୋପାଳରୁ ଦୁଇଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ।

ଆସନ୍ତାକାଲି (ବୁଧବାର) ଭିଡିଓ କନଫରେନ୍ସିଂ ଜରିଆରେ ମୋତିଲାଲ ନେହେରୁ ଷ୍ଟାଡିୟମରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କର ଏକ ସମ୍ମିଳନୀରେ ଯୋଗ ଦେବେ । କାର୍ଯ୍ୟସୂଚୀ ଅନୁସାରେ ଆଜି ପୂର୍ବାହ୍ନ ୧୧ଟା ୩୦ରେ ଜବଲପୁରରେ ପହଞ୍ଚିବେ ରାଷ୍ଟ୍ରପତି । ଏହାପରେ ଶାନ୍ଦୋଲ ଅଭିମୁଖେ ବାହାରିବେ । ଅପରାହ୍ନ ୧ଟା ୪୫ରେ ଆଦିବାସୀ ପରେଡ ଦିବସ ଉତ୍ସବରେ ସାମିଲ ହେବେ । ଅପରାହ୍ନ ୩ଟାରେ ସେଠାରୁ ଜବଲପୁରକୁ ଆସିବେ । ଭୋପାଳରେ ସନ୍ଧ୍ୟା ୫ଟା ୨୫ରେ ପହଞ୍ଚିବେ ।

ଭୋପାଳ ରାଜଭବନରୁ ଭିସି ଜରିଆରେ ରାଷ୍ଟ୍ରପତି ମୁର୍ମୁ ସଡକ ପରିବହନ ଏବଂ ରାଜପଥ ରତପାନି, ଆବେଦୁଲ୍ଲାଗଞ୍ଜ-ଇଟାରସିରେ ଚାରି ଲେନ ବିଶିଷ୍ଟ ସଡକ ପ୍ରକଳ୍ପ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ସର୍ବାଧିକ ମାଇକ୍ରୋବାୟଲ୍ କଣ୍ଟେନମେଣ୍ଟ ଲାବୋରେଟୋରୀର (ବିଏସ୍ଏଲ୍ ୪) ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ବୁଧବାର ଭିସି ଜରିଆରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଏକ ସମ୍ମିଳନୀରେ ଯୋଗ ଦେବେ । ଏହାପରେ ଦିଲ୍ଲୀ ଫେରିବେ ରାଷ୍ଟ୍ରପତି ।

ପ୍ରକାଶ ଥାଉ କି, ନଭେମ୍ବର ୧୦ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରପତି । ଏହି ଦୁଇ ଦିନିଆ ଗସ୍ତରେ ଅନେକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଓଡିଶା ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଭୁବନେଶ୍ବରରେ ସେ ପଢୁଥିବା କଲେଜ ଓ ସ୍କୁଲ ଯାଇ ସ୍ମୃତି ସାଉଁଟିଥିଲେ ।