ନୂଆଦିଲ୍ଲୀ: ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ରିଟେନ ଯିବେ । ରାଷ୍ଟ୍ରପତି ମୁର୍ମୁ ଆସନ୍ତା ୧୭ରୁ ୧୯ ତାରିଖ ଭାରତ ସରକାରଙ୍କ ତରଫରୁ ସମ୍ବେଦନା ବ୍ୟକ୍ତ କରିବା ପାଇଁ ଲଣ୍ଡନ ଯିବେ । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମହାରାଣୀଙ୍କ ଅନ୍ତିମ ସଂସ୍କାର ୧୯ ତାରିଖ ଷ୍ଟମିନଷ୍ଟର ଏବେରେ ହେବ ।
ସୂଚନାଯୋଗ୍ୟ, ବୈଦେଶିକ ମନ୍ତ୍ରୀ ସେପ୍ଟେମ୍ବର ୧୨ ତାରିଖରେ ବ୍ରିଟିଶ ଉଚ୍ଚ ଆୟୋଗ ଯାଇ ସମ୍ବେଦନା ବ୍ୟକ୍ତ କରିଥିଲେ । ମହାରାଣୀଙ୍କ ଅନ୍ତିମ ସଂସ୍କାରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋନ ଓ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ସାମିଲ ହେବେ ।