ରାୟଗଡ଼ା,ଏନ୍ଏନ୍ଏସ୍: ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହାର ମୁକାବିଲା ନେଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଡିଆରଡିଏ ସମ୍ମିଳନୀ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ପ୍ରସ୍ତୁତି ବୈଠକରେ ଅନୁସୂଚିତ ଜାତି, ଜନଜାତି ତଥା ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲାପରିଷଦ ସଭାପତି ଗଙ୍ଗାଧର ପୁଆଲା, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ପିଡି ଡିଆରଡିଏ ଅମୃିତ ଋତୁରାଜ, ଗୁଣପୁର ଉପ-ଜିଲ୍ଲାପାଳ ଏସ୍ ବଳିରାମ ବନ୍ଦର, ରାୟଗଡା ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ପରିପ୍ରେକ୍ଷରେ ଜିଲ୍ଲାପାଳ ଶ୍ରୀ ବେହେରା ବର୍ତ୍ତମାନ ପରିସ୍ଥିତିରେ ୨ଟି ପ୍ରାକୃତିକ ବିପର୍ଯ୍ୟୟ କରୋନା ସହ ସାମ୍ଭାବ୍ୟ ବାତ୍ୟାର ଦୃଢତାର ସହ ମିୁକାବିଲା କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ବୈଠକରେ ବିଡିଓ ମାନଙ୍କୁ ଡକାଯାଇ ନ ଥିବାରୁ ପିଡି ଡିଆରଡିଏଙ୍କ ନିର୍ଦ୍ଦେଶରେ ବିଡିଓ ମାନେ କାମ କରିବେ ବୋଲି ଜିଲ୍ଲାପାଳ ଶ୍ରୀ ବେହେରା ପ୍ରକାଶ କରିଥିଲେ। ଅତିରିକ୍ତି ଜିଲ୍ଲାପାଳ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ନିମନ୍ତେ ସରକାରଙ୍କ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲ ନିମନ୍ତେ ଏବେ ଠାରୁ ବ୍ଲକ୍ ପ୍ରଶାସନ ନିଜ ନିଜ ପଞ୍ଚାୟତକୁ ନେଇ ଏକ କମିଟି ଗଠନ କରି ବିପଦ ସଙ୍କେତ ଥିବା ସ୍ଥାନଗୁଡିକ ଚିହ୍ନଟ କରି ରଖିଥିବେ। ବର୍ଷା ଏବଂ ବାତ୍ୟା ସମୟରେ ଏସ୍ଥାନ ଗୁଡିକ ବିଶେଷ ଧ୍ୟାନ ଦେବା ପାଇଁ ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ। ବର୍ଷା ଏବଂ ବାତ୍ୟା ସମୟରେ ଯେପରି କୌଣସି ପ୍ରାଣହାନି ନହୁଏ ସେଥିପ୍ରତି ସଜାଗ ରହିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ।
ରାୟଗଡା ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ୨ଟି ନଦୀ ନାଗାବଳୀ ଓ ବଂଶଧାରା ନଦୀର ପାଣି ଯେପରି ବିପଦ ସଂକେତ ନ ଟପିବ ଏବଂ ନଦୀ ଗୁଡିକରୁ ଜଳ ଯେପରି ନିଷ୍କାସିତ ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା। ନାଗାବଳୀ ନଦୀ ଅଂଟାରିଗୁଡାଠାରେ କୂଳ ଖାଉଥିବା ବେଳେ ବର୍ତମାନ ସୁଦ୍ଧା ଗାର୍ଡ ୱାଲ କାମ ସରିନଥିବାରୁ ବିଧାୟକ ମକରନ୍ଦ ମୁଦୁଲି କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଗାର୍ଡ ୱାଲ ନିର୍ମାଣ ପାଇଁ ବର୍ତ୍ତମାନ ୨୦ କୋଟି ଟଙ୍କା ଅନୁମୋଦନ ଆସିଛି। ବାକି ଟଙ୍କା ଆସିଲେ ଶୀଘ୍ର ଗାର୍ଡ ୱାଲ କାମ ଆରମ୍ଭ ହେବ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଥିଲେ। ବର୍ତ୍ତମାନ ରାୟଗଡା ଜିଲ୍ଲାରେ ଜଳସ୍ତର କମି ଯାଉଥିବାରୁ ଆଡି ବନ୍ଧ ନିର୍ମାଣ କରିବା ପାଇଁ ଗୁରୁତ୍ୱ ଦେବା ନିମନ୍ତେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ପ୍ରକାଶ କରିଥିଲେ। ସେହିପରି ବର୍ଷା ଦିନରେ କାଶିପୁର ବ୍ଲକ ସହ ରାୟଗଡା ବ୍ଲକରେ ଡାଇରିଆ ରୋଗ ଦେଖାଦେଇଥାଏ, ତେଣୁ ଏଥି ପ୍ରତି ପ୍ରଶାସନ ଧ୍ୟାନ ଦେବାକୁ ପଡ଼ିବ ବୋଲି ଶ୍ରୀପୁଆଲା ପ୍ରକାଶ କରିଥିଲେ।
ଯୋଗାଣ ବିଭାଗକୁ ମଧ୍ୟ ସଜାଗ ରହି ଆବଶ୍ୟକୀୟ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ରାସନ କାର୍ଡ ନଥିବା ଲୋକଙ୍କୁ ମଧ୍ୟ ରାସନ ସାମଗ୍ରୀ ବଣ୍ଟନ ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ। ବର୍ଷା ପୂର୍ବରୁ ଖରାପ ପଡିଥିବା ନଳକୂପ ଏବଂ ପାନୀୟ ଜଳ ପ୍ରକଳ୍ପ ଗୁଡିକୁ ମଧ୍ୟ ତ୍ୱରାନ୍ୱିତ କରିବା, ସହରାଞ୍ଚଳର ବିଭିନ୍ନ ବସ୍ତି ଗୁଡିକରେ ୱାଟର ଟ୍ୟାଙ୍କ ଲଗାଯାଇ ପାନୀୟ ଜଳ ଯୋଗାଣ କରିବା ଏବଂ ପଶୁ ସଂପଦ ବିଭାଗକୁ ପଶୁ ମାନଙ୍କ ନିମନ୍ତେ ଆବଶ୍ୟକୀୟ ଖାଦ୍ୟ ମହଜୁଦ ରଖିବା ପାଇଁ ଜିଲ୍ଲାପାଳ ଶ୍ରୀବେହେରା ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୧୫ ଅକ୍ଟୋବର ଯାଏଁ ଜରୁରୀକାଳୀନ ସେବା ନିମନ୍ତେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ନିର୍ଦ୍ଦେଶ ରହିଛି।