ମହଙ୍ଗା ହେବ ପ୍ରିମିୟମ୍ ଟ୍ରେନ୍ ଯାତ୍ରା

ନୂଆଦିଲ୍ଲୀ, ଏଜେନ୍ସି: ଦେଶରେ ବର୍ଦ୍ଧିତ ମୁଦ୍ରାସ୍ଫୀତିର ପ୍ରଭାବ ରେଳ ବିଭାଗ ଉପରେ ବି ପଡ଼ିଛି। ଯାହାଫଳରେ ରାଜଧାନୀ, ଶତାବ୍ଦୀ ଏବଂ ଦୁରନ୍ତ ଭଳି ପ୍ରିମିୟମ୍ ଟ୍ରେନଗୁଡ଼ିକରେ ଖାଦ୍ୟ ଖାଇବା ପାଇଁ ଯାତ୍ରୀମାନଙ୍କୁ ଏଣିକି ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। କାରଣ ଏହି ଟ୍ରେନଗୁଡ଼ିକରେ ଖାଦ୍ୟ ବାବଦକୁ ଖର୍ଚ୍ଚ ବଢ଼ାଇବା ନେଇ ଭାରତୀୟ ରେଳ ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଛି। ରେଳ ପରିଷଦରେ ସାମିଲ ଥିବା ପର୍ଯ୍ୟଟନ ଏବଂ ଖାଦ୍ୟପେୟ ବିଭାଗୀୟ ନିର୍ଦ୍ଦେଶକଙ୍କ ତରଫରୁ ଜାରି ସର୍କୁଲାରରୁ ଉପରୋକ୍ତ ଟ୍ରେନଗୁଡ଼ିକରେ ମିଳୁଥିବା ଖାଦ୍ୟପେୟ ସାମଗ୍ରୀ ପୂର୍ବାପେକ୍ଷା ଅଧିକ ମହଙ୍ଗା ହୋଇଥିବା ଜଣାପଡ଼ିଛି।

ରାଜଧାନୀ, ଦୁରନ୍ତ ଏବଂ ଶତାବ୍ଦୀ ଟ୍ରେନ୍ଗୁଡ଼ିକ ପାଇଁ ଲାଗୁ ହେବାକୁ ଥିବା ଏହି ନୂତନ ଦର ମୁତାବକ, ଦ୍ୱିତୀୟ ଶ୍ରେଣୀର ଏସି’ର ଯାତ୍ରୀଙ୍କୁ କପେ ଚା’ ପାଇଁ ଏଣିକି ୧୦ ଟଙ୍କା ପରିବର୍ତ୍ତେ ୨୦ ଟଙ୍କା ଦେବାକୁ ହେବ। ସେହିପରି ସ୍ଲିପର୍ ଶ୍ରେଣୀ ଯାତ୍ରୀମାନଙ୍କ ପାଇଁ ଏନେଇ ୧୫ ଟଙ୍କା ଦେବାକୁ ପଡ଼ିବ। ଦୁରନ୍ତର ସ୍ଲିପର କ୍ଲାସରେ ପୂର୍ବରୁ ୮୦ ଟଙ୍କାରେ ମିଳୁଥିବା ଜଳଖିଆ କିମ୍ବା ଖାଦ୍ୟକୁ ବର୍ତ୍ତମାନ ୧୨୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ସନ୍ଧ୍ୟାରେ କପେ ଚା’ ପାଇଁ ଗ୍ରାହକଙ୍କୁ ୨୦ ଟଙ୍କା ପରିବର୍ତ୍ତେ ୫୦ ଟଙ୍କା ଦେବାକୁ ପଡ଼ିବ। ଟିକେଟ୍ ବ୍ୟବସ୍ଥାରେ ଏହି ନୂତନ ମେନୁ ଓ ଶୁଳ୍କକୁ ଆସନ୍ତା ୧୫ ଦିନ ମଧ୍ୟରେ ଅପଡେଟ୍ କରାଯିବା ସହିତ ଆସନ୍ତା ୧୨୦ ଦିନ ବା ୪ ମାସ ପରେ ଏହାକୁ ଲାଗୁ କରିଦିଆଯିବ ବୋଲି ଉଲ୍ଲେଖ କରାଯାଇଛି।

ତେଣୁ ଭବିଷ୍ୟତରେ ରାଜଧାନୀର ପ୍ରଥମ ଶ୍ରେଣୀ ଏସି କୋଚରେ ଯାତ୍ରୀମାନଙ୍କୁ ୧୪୫ ଟଙ୍କା ବଦଳରେ ୨୪୫ ଟଙ୍କାରେ ଖାଦ୍ୟ ମିଳିବ। ଅପରପକ୍ଷେ ରେଗୁଲାର୍ ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନଗୁଡ଼ିକରେ ଶାକାହାରୀ ଭୋଜନ ୫୦ ଟଙ୍କା ବଦଳରେ ଆଗକୁ ୮୦ ଟଙ୍କାରେ ମିଳିବ। ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଆଣ୍ଡ୍ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ପକ୍ଷରୁ ରେଳ ଯାତ୍ରୀମାନଙ୍କୁ ୯୦ ଟଙ୍କାରେ ଅଣ୍ଡା ବିରିୟାନୀ ଏବଂ ୧୧୦ ଟଙ୍କାରେ ଚିକେନ୍ ବିରିୟାନୀ ଉପଲବ୍ଧ କରାଯିବ। ସେହିପରି ରେଗୁଲାର୍ ଟ୍ରେନରେ ୧୩୦ ଟଙ୍କାରେ ଚିକେନ୍ ବିରିୟାନୀ ମିଳିବ। ଏହା ପୂର୍ବରୁ ୨୦୧୪ରେ ଟ୍ରେନରେ ମିଳୁଥିବା ଖାଦ୍ୟପେୟ ମୂଲ୍ୟରେ ପରିବର୍ତ୍ତନ କରାଯାଇଥିଲା। ତେବେ ଏହି ନୂତନ ତଥା ସଂଶୋଧିତ ମୂଲ୍ୟ ପ୍ରିମିୟମ୍ ଟ୍ରେନର ଯାତ୍ରୀମାନଙ୍କ ସଙ୍ଗେସଙ୍ଗେ ସାଧାରଣ ଜନତାଙ୍କୁ ମଧ୍ୟ ପ୍ରଭାବିତ କରିବ।