ପ୍ରେମ୍ ଆନନ୍ଦ
ପିତା-ସ୍ୱର୍ଗତ ନୃସିଂହ ଚରଣ ସାମଲ
ମାତା-ମାଳତୀ ଦେବୀ
ଠିକଣା-ନୂଆସାହି, ବିଡ଼ାନାସୀ, କଟକ
ପ୍ରେମ୍ ଆନନ୍ଦ । ଓଡ଼ିଶା ସଙ୍ଗୀତ ଜଗତର ଆଉଜଣେ ବାଦଶାହା । ଓଡ଼ିଆ ଇଣ୍ଡଷ୍ଟ୍ରୀରେ ସୁରିଲା ସୁରିଲା ଗୀତର ଧୁନ୍ରେ ଦର୍ଶକଙ୍କୁ ବାନ୍ଧି ରଖିଥବା ବେଳେ ନିଜର ନିଆରା ଢ଼ଙ୍ଗ ଅନ୍ୟ ସଙ୍ଗୀତ ନିର୍ଦ୍ଦେଶକଙ୍କ ଠାରୁ ବାରି ହୋଇପଡ଼େ । ସେ ଗୀତର ସ୍ୱରକୁ ଯେଭଳି ଭାବରେ ଟେକ୍ନିକ୍ ପ୍ରୟୋଗକରି ଭିନ୍ନ କରି ପରଷନ୍ତି, ତାଠାରୁ ଅଧିକ ଗୁରୁତ୍ୱ ଦିଅନ୍ତି ଶାଳୀନତାକୁ। କାମରେ ନଥାଏ କମ୍ପରମାଇଜ୍ କି କୌଣସି ଗୀତରେ ନଥାଏ ଅଶ୍ଲୀଳତାର ଟିକିଏ ବି ଛିଟା । ଯଦି କେହି ଶ୍ରୋତାଟିଏ ଟିକେ ନିଜ ଭିତରେ ହଜିଯିବାକୁ କ୍ଷଣିକ ପାଇଁ ଚାହିଁବ, ମନ ବଗିଚାରେ ଛିଟ ପ୍ରଜାପତିଟିଏ ଉଡ଼େଇବାକୁ ମନପବନରେ ବସି ପାରିଜାତ ଉଦ୍ୟାନରେ ପହଞ୍ଚିଯିବ, ମେଘ ପିଠିରେ ପ୍ରେମିକାର ଗାଁ ଆଡ଼େ ବୁଲିଯିବ କି ନିଜ ଶୌର୍ଯ୍ୟତାରେ ସମାଜର ସବୁ କଳଙ୍କ ପୋଛିଦେବାକୁ ଅଣ୍ଟାଭିଡ଼ି ଆଗେଇଯିବ ନିଶ୍ଚିତ ପ୍ରେମ ଆନନ୍ଦଙ୍କ ଗୀତ ଗୁଣୁଗୁଣେଇ ବାଟ ଚାଲିବାକୁ ବାଧ୍ୟ ହେବ ।

ସେ ଭଜନ ହେଉକି ଆଧୁନିକ ଆଲବମ, କି ସିନେମା, ସବୁଥିରେ କିଛି ନା କିଛି କିମିଆ ଛାଡ଼ି ଯାଇଥିବେ, ଯାହା ଶ୍ରୋତାଟିଏ ସବୁବେଳେ ପାଇଁ ଝୁରିହେବାକୁ ବାଧ୍ୟ ହେବ । ସେ ହଜାରେ ରୁ ଊଦ୍ଧ୍ୱର୍ ଗୀତରେ ସ୍ୱର ସଂଯୋଜନା କରି ନିଜ ଯେଉଁ ଟ୍ରେଣ୍ଡ୍ ତିଆରି କରିଛନ୍ତି, ତାହା ତାଙ୍କ ସ୍ୱକୀୟ ଷ୍ଟାଇଲ୍ । ସେ ସଙ୍ଗୀତକୁ ପରୀକ୍ଷାନିରୀକ୍ଷା କଲାବେଳେ ମୌଳିକତାକୁ ଯେତିକି ଗୁରୁତ୍ୱ ଦିଅନ୍ତି, ସଙ୍ଗୀତପ୍ରେମୀଙ୍କୁ କିଭଳି ମନ ଛୁଇଁବ ପ୍ରାଣପ୍ରଣେ ବି ଚେଷ୍ଟା କରିଥାନ୍ତି । ଓଡ଼ିଆ ସଙ୍ଗୀତଜଗତରେ ମ୍ୟୁଜିକ ସାଇଣ୍ଟିଷ୍ଟ୍ କୁହାଯାଉଥିବା ବେଳେ ସିନେମାରେ ବି ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛନ୍ତି ।

ସିନେମାର କାହାଣୀ ହିଟ୍ ହେଉ କି ନହେଉ ପ୍ରେମ ଆନନ୍ଦ ମ୍ୟୁଜିକର ଛୁଆଁ ଦେଇଛନ୍ତି ମାନେ ହିଟ୍ ସାବ୍ୟସ୍ତ ହୋଇଯାଏ ଶ୍ରୋତାଙ୍କ ପରୀକ୍ଷାଗାରରେ । ସେ କେବଳ ନିଆରା ଢ଼ଙ୍ଗରେ ମ୍ୟୁଜିକ କରି ଓଡ଼ିଆ ନୁହେଁ ହିନ୍ଦୀ ସିନେମା ଜଗତରେ ବି ଏଣ୍ଟ୍ରି କରିସାରିଛନ୍ତି । ନିକଟରେ ବଲିଉଡ଼ ସିନେମା ଲଭ୍ ୟୁଟର୍ଣ୍ଣ ପାଇଁ ଚର୍ଚ୍ଚାରେ ରହିଥିବା ପ୍ରେମ ଆନନ୍ଦଙ୍କୁ ନେଇ ଏଥର ସ୍ୱତନ୍ତ୍ର ପ୍ରତିବେଦନ ।

୧-ଆପଣଙ୍କର ପ୍ରଥମ ଏଣ୍ଟ୍ରି କିପରି ଥିଲା? କେଉଁ ମାଧ୍ୟମରେ ପ୍ରଥମେ କଳା ଦୁନିଆରେ ପାଦ ଦେଲେ ?
ଉ-ଭଦ୍ରକର ଡ଼ାଇନାମିକ କ୍ୟାସେଟ୍ କମ୍ପାନୀ ମା ଗୋଜବାୟାଣୀ ନାମକ ଭଜନ କ୍ୟାସେଟ୍ ତିଆରି କରିଥିଲା, ଯେଉଁଥିରେ ପ୍ରଥମେ ସଙ୍ଗୀତ ଦେଇଥିଲି । ତା ପରେ ଜହ୍ନରେ ନାମକ ଏକ ଆଧୁନିକ ଆଲବମ୍ ମଧ୍ୟ ଆସିଥିଲା ।
୨-ଆପଣ ଓଡ଼ିଆ ଇଣ୍ଡଷ୍ଟ୍ରୀକୁ ଏଣ୍ଟ୍ରି କରିବା ସମୟରେ କେଉଁଭଳି ଭାବେ ପ୍ରତିବନ୍ଧକକୁ ସାମନା କରିଛନ୍ତି ?
ଉ- ମୁଁ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିବା ସମୟରେ ଅନେକ ପ୍ରତିବନ୍ଧକକୁ ସାମନା କରିଥିଲି । ସେସବୁକୁ ମୁଁ ହସି ହସି ଗ୍ରହଣ କରୁଥିଲି । ମୋତେ କେହି ମୋ ସାମନାରେ ହେଉ ଅବା ପଛରେ ହେଉ ବିରୋଧରେ କହୁଥିଲେ ମୁଁ ତାହା ପଜିଟିଭ୍ ଭାବରେ ଗ୍ରହଣ କରୁଥିଲି । କାରଣ ନରଗେଟିଭ କଥାଶୁଣି ସଂଶୋଧନ ନିଜକୁ କରିହୁଏ । ମୋତେ ପ୍ରଥମରୁ କେହି ଯଦି ପ୍ରଶଂସା କରୁଥିଲା, ମୁଁ ମନ ଭିତରେ ଡ଼ରି ଯାଉଥିଲି, ଏହାଦ୍ୱାରା ମୋତେ ତଳକୁ ଖସାଇବାକୁ ଚାହୁଁ ନାହିଁ ତ ବୋଲି ଭାବେ । ମୋ ପାଇଁ ସବୁବେଳେ ନେଗେଟିଭ୍ ହିଁ ଚ୍ୟାଲେଞ୍ଜ ହୋଇଛି, ଜୀବନରେ କିଛି ଶିଖିବାକୁ ସାହାଯ୍ୟ କରିଛି ।
୩- ଆପଣଙ୍କର ପ୍ରଥମ ଭଜନ ହିଟ୍ ଓ ଆଧୁନିକ କ୍ୟାସେଟ୍ କଣ ଥିଲା ?
ଉ-ମୋର ପ୍ରଥମ ହିଟ୍ ଭଜନ ଥିଲା -ଗୁଆ ଘିଅ ନଖ ବଳିତା, ସଜେଇ ଦେ ବଉଳ ଓ ଆଧୁନିକ ଥିଲା-ଭୂଗୋଳରେ ଭଲ ହେଉଥିଲା । ଅବଶ୍ୟ ମୁଁ ପ୍ରଥମରୁ କରିଥିବା ଗୀତ କିଛି ଖରାପ ନଥିଲା । ଏହି ଗୀତ ଦୁଇଟିକୁ ଦର୍ଶକ ବେଶୀ ପସନ୍ଦ କରିଥିଲେ ଓ ମାର୍କେଟରେ ବି ଚହଳ ପକେଇଥିଲା ।
୩- ଆପଣଙ୍କ ଜୀବନରେ ସଙ୍ଗୀତ ଦୁନିଆରେ ପାଦ ଦେବା କେଉଁମାନେ ସହଯୋଗ କରିଥିଲେ ?
ଉ- ସୁଶାନ୍ତ ବୋଲି ମୋର ଜଣେ ସାଙ୍ଗ କ୍ୟାସେଟ୍ ପାଇଁ ଡ଼ାଇନାମିକ କମ୍ପାନୀ ସହ ଯୋଗାଯୋଗ କରିଥିଲା ।
୪-ପ୍ରଥମ କ୍ୟାସେଟ ବାହାରିବା ବେଳେ ଆପଣଙ୍କ ଅନୁଭବ କେମିତି ଥିଲା?
ଉ-ଆଜିକାଲି ଯେମିତି ୟୁଟ୍ୟୁବ୍ରେ ଗୀତ ରିଲିଜ ହେଉଛି, ସେମିତି ହେଉନଥିଲା । କ୍ୟାସେଟ୍ଟିଏ ଟିଏ ରିଲିଜ ହେଲେ ବହୁତ ଲୋକ ଜାଣୁଥିଲେ । ମୋର ପ୍ରଥମ କ୍ୟାସେଟ ବାହାରିବା ପରେ ମୁଁ ଏତେ ଖୁସି ହୋଇଯାଇଥିଲି ଯେ , ଦୁଇଦିନ ଖଣ୍ଡେ ବୁଲି ସମସ୍ତଙ୍କୁ ଦେଖେଇଥିଲି । ଖିଆପିଆ ଭୁଲି ଯାଇଥିଲି । କହୁଥିଲି ଦେଖ, ମୋର ଗୋଟେ କ୍ୟାସେଟ୍ ବାହାରିଛି । ସେଦିନର ଆଦ୍ୟ କ୍ୟାରିୟରର ସ୍ମୃତି ଆଜି ବି ସତେଜ ରହିଛି ।

୬-ସିନେମାରେ ଏଣ୍ଟ୍ରି କରିବାରେ କିଛି କଷ୍ଟ ହୋଇଥିଲା କି ? ପ୍ରଥମେ କିଭଳି ଅଫର ପାଇଲେ ?
ଉ-ହଁ, ମୋତେ ଅନେକ କଷ୍ଟ ତ କରିବାକୁ ପଡ଼ିଛି । ମୁଁ କାହିଁକି ଯିଏ ବି ହେଲେ ପ୍ରଥମ ସଂଘର୍ଷ ଜୀବନ କଷ୍ଟ ତ ରହିଛି । ସାବିତ୍ରୀ ମ୍ୟୁଜିକର ଧୀର ବାବୁ ବୋଲି ଜଣେ ମ୍ୟାନେଜର ଥିଲେ । ସେ ମୋ ପାଇଁ ପ୍ରଥମେ ସିନେମାରେ ମ୍ୟୁଜିକ ଦେବାକୁ ପ୍ରଡ଼୍ୟୁସରକୁ ଅନୁରୋଧ କରିଥିଲେ । ହାଏ ହାଏ ତୋ ମଲ୍ଲୀଫୁଲ ଗଜରା ଆଲବମ୍ ହିଟ୍ ହୋଇଥାଏ । ଧୀରବାବୁ ପ୍ରଡ଼୍ୟୁସରଙ୍କୁ କହିଲେ, ଯଦି ସେ ଆଲବମରେ ଏତେ ହିଟ୍ ଦେଉଛନ୍ତି, ସିନେମାରେ କାହିଁକି ଦେଇପାରିବେନି । ତା ପରେ ପ୍ରଡ଼୍ୟୁସର ରାଜି ହୋଇଯାଇଥିଲେ । ମୋ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରଥମ ସିନେମା ତୁ ଏକା ଆମ ସାହା ଭରସା ରିଲିଜ ହୋଇଥିଲା । ଅବଶ୍ୟ ଏହାପରେ ମୁଁ ପଛକୁ ଫେରି ଚାହିନାହିଁ । ଭଗବାନଙ୍କ ଦୟାରୁ ଆଗକୁ ଆଗ ଯାଇଛି, ସଫଳତା ବି ମିଳିଛି ।
୭-ନିଜକୁ ଇଣ୍ଡଷ୍ଟ୍ରୀରେ ପ୍ରମାଣ କରିବାକୁ କାହାକୁ ଗୁରୁତ୍ୱ ଦେଇଥିଲେ, ସ୍ୱର ନା ଗୀତିକାରଙ୍କର ଗୀତ ?
ଉ-ନିଶ୍ଚିତ ଗୀତିକାର ଆଗେ । କାହିଁକିନା ଗୀତ ଯଦି ଭଲ ନହେବ, ଭଲ ସ୍ୱର କେମିତି କରାଯାଇପାରିବ । ସେଥିପାଇଁ ସବୁବେଳେ ଗୀତିକାଙ୍କୁ ହିଁ ଗୁରୁତ୍ୱ ଦିଏ, ତା ସହିତ ସ୍ୱରକୁ ।
୮-ଗୀତରେ ଅଶ୍ଳୀଳତାକୁ କିଭଳି ଭାବରେ ଗ୍ରହଣ କରନ୍ତି ?
ଉ-ଜମାରୁ ମୁଁ ଅଶ୍ଳୀଳତାକୁ ଗ୍ରହଣ କରେନାହିଁ । ମୁଁ ସବୁବେଳେ ଚେଷ୍ଟା କରେ ସବୁବେଳେ ଆଭଏଡ଼ କରିବାକୁ । କାହିଁକିନା ସବୁଥିରେ ଗୋଟିଏ ସୀମା ଥାଏ, ଟପିଯିବା ଉଚିତ ନୁହେଁ ।
୯-ସିନେମାରେ ମ୍ୟୁଜିକାଲ ହିଟକୁ କିଭଳି ଗ୍ରହଣ କରିଛନ୍ତି, ଆପଣଙ୍କର ଅନେକ ସିନେମା କାହାଣୀକୁ ନେଇ ହିଟ୍ ହୋଇନାହିଁ ବରଂ ଆପଣଙ୍କ ଗୀତର ଧୁନ୍କୁ ନେଇ ହିଟ କରିଛି, ଏସମ୍ପର୍କରେ କଣ କହିବେ ?
ଉ-ମୋତେ ନିଶ୍ଚିତ ଖୁସି ଲାଗେ, ଯେହେତୁ ତାହା ଦର୍ଶକଙ୍କୁ ଛୁଇଁଛି । ବେଶୀ ଖୁସିଲାଗେ ଯଦି ସିନେମାଟି କାହାଣୀ,ସଙ୍ଗୀତ ଉଭୟକୁ ନେଇ ଚାଲେ । ଗୀତ ହିଟ୍ ହୋଇଥିବ, ସିନେମା ଚାଲିବ ନାହିଁ, ତାହା ମୋତେ ବେଶୀ କଷ୍ଟ ଦିଏ ।
୯-ଲୋକଙ୍କ ହୃଦୟରେ ସବୁଦିନ ବଞ୍ଚିବାକୁ ଜଣେ ସଙ୍ଗୀତକାରକୁ କଣ କରିବାକୁ ପଡ଼ିବ ?
ଉ-ପ୍ରଥମେ ଗୋଟେ ଭଲ ମଣିଷ ହେବାକୁ ପଡ଼ିବ । ଭଲ ମଣିଷ ହେଲେ ଭଲ ସଙ୍ଗୀତ ବି ତିଆରି କରାଯାଇପାରିବ ବୋଲି ମୁଁ ଭାବେ । ମଣିଷ ଯଦି ଭଲ ହୁଏ, ତା ଭିତରେ ଯେଉଁ ସୌନ୍ଦର୍ଯ୍ୟବୋଧ ଥାଏ, ତାହା ସଙ୍ଗୀତରେ ଫୁଟି ଉଠେ । ଭଲ ସଙ୍ଗୀତ ହେଲେ ସାରା ଜୀବନ ତାହା ହୃଦୟ ଭିତରେ ସାଇତି ରଖିବେ ।
୧୦-ଆପଣ ବ୍ୟାନରକୁ କେବେ ଗୁରୁତ୍ୱ ଦେଇ କମ୍ପରମାଇଜ କରିବାକୁ କେବେ ଚାହିଁଛନ୍ତି କି ?
ଉ-ବେଳେବେଳେ ବ୍ୟାନର ବି ବହୁତ ମାନେ ରଖେ । ବେଳେବେଳେ ବି ଏମିତି ହୁଏ ବ୍ୟାନରକୁ ଗୁରୁତ୍ୱ ଦେଇ ଅନେକ କିଛିକୁ କମ୍ପରମାଇଜ୍ କରିବାକୁ ପଡ଼େ । ଅବଶ୍ୟ ମୋ କ୍ଷେତ୍ରରେ ସେମିତି ବିଶେଷକିଛି ହୋଇନି । ପରିବେଶ ସହିତ ଖାପଖୁଆଇ କାମ କରାଯାଏ କିନ୍ତୁ ସବୁ କଥାକୁ ସବୁବେଳେ ନିଜ ଇଚ୍ଛାରେ ବା ବ୍ୟାନର ପାଇଁ ସବୁକିଛି ତ୍ୟାଗ କରାଯାଇପାରେ ନାହିଁ ।
୧୧- ଆପଣ ହିନ୍ଦୀ ସିନେମାରେ ଏଣ୍ଟ୍ରିମାରି ଯାହା ସଫଳତା ସାଉଣ୍ଟିଥିଲେ, ଏବେ ଆଉ ଏକ ସୁଯୋଗ ପାଇଛନ୍ତି, ତାହା କିଭଳି ଏସଫଳତାର ଶୀର୍ଷରେ ପହଞ୍ଚାଇବାକୁ ପ୍ରୟାସ ଜାରି ରଖିଛନ୍ତି ?
ଉ-ମୁଁ ପୂର୍ବରୁ ହିନ୍ଦୀ ସିନେମା ପାଇଁ ସ୍ୱର ଦେଇଥିଲି । ଏବେ ସିନେମା ଲଭ୍ ୟୁ ଟର୍ଣ୍ଣରେ ଦୁଇଟି ଗୀତର ସ୍ୱର କରିଛି । ଯାହା ଶ୍ରୋତା ପସନ୍ଦ କରିଛନ୍ତି । ଆଗକୁ ପ୍ରୟାସ ଜାରି ରଖିଛି କିଭଳି ଭାବରେ ମୁଁ ବଲିଉଡ଼ରେ ମଧ୍ୟ ଭଲ କରିପାରିବି । କାହାର ଇଚ୍ଛା ନଥାଏ ଆଗକୁ ଯିବା ପାଇଁ । ଯଦି ସୁଯୋଗଟିଏ ମିଳୁଛି, ମୋ ଦକ୍ଷତାକୁ ବି ପ୍ରତିପାଦନ କରିବାକୁ ଯଥାସାଧ୍ୟ ଚେଷ୍ଟା କରୁଛି ଓ କରିବି ମଧ୍ୟ । ଯଦି ଭଗବାନଙ୍କ ଦୟାରୁ ତାହା ଲୋକମାନଙ୍କ ଦ୍ୱାରା ଗ୍ରହଣୀୟ ହୁଏ, ମୋତେ ଖୁସିଦେବ ।

୧୨-ଆପଣ କର୍ମ ନା ଭାଗ୍ୟକୁ ବିଶ୍ୱାସ କରନ୍ତି ?
ଉ- ମୁଁ ବେଶୀ କର୍ମକୁ ବିଶ୍ୱାସ କରେ । କର୍ମ କଲେ ଫଳ ଜୀବନରେ ପ୍ରତିଫଳନ ହୋଇଥାଏ । ଭାଗ୍ୟକୁ ତ ବାଦ୍ ଦେଇ ହେବନାହିଁ । ଭାଗ୍ୟରେ ନଥିଲେ ସବୁ ଜିନିଷ ବି ମିଳେନାହିଁ ।
୧୩-ବ୍ୟକ୍ତିଗତ ଜୀବନରେ ସାଂସାରିକ ଜଞ୍ଜାଳ ଓ ସଙ୍ଗୀତକୁ କିଭଳି ମ୍ୟାନେଜ୍ କରନ୍ତି ?
ଉ- ସାଂସାରିକ ଜୀବନ ଓ ସଙ୍ଗୀତ, ଦୁଇଟିକୁ ହିଁ ଗୁରୁତ୍ୱ ଦେବାକୁ ପଡ଼ିବ । ଯଦି ଖାଲି ସଙ୍ଗୀତରେ ବୁଡ଼ି ରହିବା ହେବ ନାହିଁ । ଦୁଇଟିକୁ ଗୁରୁତ୍ୱ ଦେଲେ ସଫଳତା ମିଳିପାରିବ । ସାଂସାରିକ ଜୀବନ ନିଜର ବୃତ୍ତି ଉପରେ ପ୍ରଭାବ ପକାଇଥାଏ । ସାଂସାରିକ ଜୀବନଓ ସଙ୍ଗୀତ ଜୀବନ ମୋ ପାଇଁ ପରସ୍ପର ପରିପୂରକ ।
୧୪-ବର୍ତ୍ତମାନ ସିନେମାର ସ୍ଥିତି ସମ୍ପର୍କରେ ଆପଣଙ୍କ ମତ କଣ ? କାହିଁକି ଦର୍ଶକ ଓଡ଼ିଆ ସିନେମାରୁ ମୁହଁ ଫେରଇ ନେଉଛନ୍ତି ?
ଉ-ଲୋକ ଖାଲି ସମାଲୋଚନା କରୁଛନ୍ତି । କିଭଳି ସିନେମା ବା ସଙ୍ଗୀତ ଆଗେଇବ ସେଥିପାଇଁ କେହି ସକରାତ୍ମକ ମତାମତ ଦେଇ ଚେଷ୍ଟା କରୁନାହାନ୍ତି । ସବୁବେଳେ ସମୀକ୍ଷକମାନେ ଖାଲି ସବୁବେଳେ ଖରାପ ଦିଗଟିକୁ ସମାଲୋଚନା କରି ଇଣ୍ଡଷ୍ଟ୍ରୀକୁ ଛୋଟ କରିଦେଉଛନ୍ତି । ପଜିଟିଭ୍ ଦିଗରେ ଯଦି ନିଆଯାଏ, ସିନେମା ଦୁନିଆ ଆହୁରି ଆଗକୁ ଯାଇପାରିବ ।
୧୫-ସିନେମାର ଉନ୍ନତି ପାଇଁ ଆଉ କେଉଁ ସବୁ ପଦକ୍ଷେପ ସରକାର ଗ୍ରହଣ କଲେ, ଓଡ଼ିଆ ସିନେମା ଆଉ ଦୁଇପାଦ ଆଗକୁ ଯାଇପାରିବ ?
ଉ-ଥିଏଟର ସମସ୍ୟା ରହିଛି,ଯଦି ସରକାରଙ୍କ ତରଫରୁ ଟିକେ ଚେଷ୍ଟା କରାଯାଆନ୍ତା ଭଲ ହୁାନ୍ତା । ସିନେମା ହଲ ଅଧିକ କିଭଳି ଭାବରେ ଚାଲିପାରିବ, ସେଥିପାଇଁ ଯେଉଁ ସହଯୋଗ ରହିଛି, ତାହା ସେମାନଙ୍କୁ ଯୋଗାଇ ଦିଆଗଲେ, ଓଡ଼ିଆ ସିନେମାର ଭବିଷ୍ୟତ ଆଗକୁ ଯାଇପାରିବ ।
୧୬-ଆପଣ ଜଣେ ମେକର, ଅନେକ କଣ୍ଠଶିଳ୍ପୀଙ୍କୁ ଫ୍ଲୋରକୁ ଆଣିଛନ୍ତି, କୁହନ୍ତୁ ଓଡ଼ିଆ ସଙ୍ଗୀତ ଜଗତ ଏମାନଙ୍କ ଉପରେ ଭରସା କରିପାରିବ ତ ?
ଉ-ନିଶ୍ଚିତ ଭାବରେ ଭରସା କରିହେବ । ସମସ୍ତଙ୍କର ଗୋଟେ ଟାଇମ୍ ଥାଏ, ସେତେବେଳେ ସେମାନଙ୍କର ଗୀତ ଭଲ ଚାଲିଥାଏ । ବର୍ତ୍ତମାନ ପିଢ଼ିର କଣ୍ଠଶିଳ୍ପୀଙ୍କ ପାଖରେ ସେମିତି ଟ୍ୟାଲେଣ୍ଟ ରହିଛି, ଯାହାଙ୍କୁ ଭରସା କରି ଇଣ୍ଡଷ୍ଟ୍ରୀ ଚାଲିପାରିବ ।
