ରାୟଗଡ଼ା,ଏନ୍ଏନ୍ଏସ୍: ଜନନୀ ଯନ୍ତ୍ରଣା ସପ୍ତାହ ନ ବିତୁଣୁ ରାୟଗଡ଼ା ଜିଲ୍ଲାରେ ପୁଣିଥରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତର ତଳସାଜା ଗାଁର ଜୟରାମ ମିଣିଆକାଙ୍କ ଗର୍ଭବତୀ ସ୍ତ୍ରୀ କବିତା ମିଣିଆକାଙ୍କୁ ଷ୍ଟ୍ରେଚର ସାହାଯ୍ୟରେ ନଈ ପାର କରାଯିବାକୁ ନେଇ ଏବେ ଚର୍ଚା ଜୋର ଧରିଛି । କବିତା ଗର୍ଭ ଯନ୍ତ୍ରଣାରେ ଛଟପଟ ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲେନ୍ସକୁ ସୂଚନା ଦେଇଥିଲେ । ହେଲେ ଆମ୍ବୁଲାନ୍ସ ଠିକ ସମୟରେ ଆସି ପହଞ୍ଚିଥିଲେ ମଧ୍ୟ ଗାଁକୁ ରାସ୍ତା ନଥିବା ଯୋଗୁ ନାଗାବଳୀ ନଦୀ ଆର ପଟେ ଅଟକି ରହିଥିଲା । ପରେ ଗ୍ରାମବାସୀଙ୍କୁ ଆମ୍ବୁଲେନ୍ସ ପହଞ୍ଚି ଥିବା ଖବର ଦେବା ପରେ ୪ ଯୁବକ ମିତେଶ ମିଣିଆକା, ମାଲେସ ରାଓ ମିଣିଆକା, ଦାମୋଦର ମିଣିଆକା ଓ ରବି ମିଣିଆକା ସହିତ ପରିବାର ଲୋକେ ମିଶି ଏକ ଷ୍ଟ୍ରେଚରରେ ୨ କିମି ବୋହି ଆଣି ନାଗାବଳୀ ନଦୀ ପାର ହୋଇ ମୁଖ୍ୟ ରାସ୍ତାକୁ ନେବା ପରେ ଆମ୍ବୁଲାନ୍ସ ଦ୍ୱାରା ସିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଉକ୍ତ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ଭଲ ନଥିବା ଯୋଗୁ ତାଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ନେଇ ସିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସୂଚନା ଦେଇଛନ୍ତି ।