ରାସ୍ତା ଖରାପ ଯୋଗୁଁ ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା, ଖୋଲା ଆକାଶ ତଳେ ଶିଶୁ ପୁତ୍ରର ପ୍ରସବ

ଝରିଗାଁ,ଏନ୍ଏନ୍ଏସ୍: ରାସ୍ତା ଖରାପ ଯୋଗୁଁ ଘର ପାଖରେ ଆମ୍ବୁଲାନ୍ସ ପହଞ୍ଚିପାରୁନାହିଁ। ଫଳରେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଆଣିବା ସମୟରେ ଅଧାରାସ୍ତାରେ ମହିଳା ଜଣଙ୍କ ଏକ ଶିଶୁ ଶିଶୁ ପୁତ୍ରର ପ୍ରସବ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଝରିଗାଁ ସଦର ମହକୁମାଠାରୁ ପ୍ରାୟ ୮ କିଲୋମିଟର ଦୂରରେ ଥିବା ମାଙ୍ଗଡଙ୍ଗରୀ ଗ୍ରାମର ବିଷ୍ଣୁ ସାନ୍ତାଙ୍କ ସ୍ତ୍ରୀ ପରମା ସାନ୍ତାଙ୍କୁ ଗତକାଲି ସକାଳେ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ପରେ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ପରିବାର ଲୋକେ ପୁଣି ଆମ୍ବୁଲାନ୍ସକୁ ଫୋନ କରିଥିଲେ। ତେବେ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସଟି ଘରଠାରୁ ୩ କିଲୋମିଟର ଦୂର ମାଙ୍ଗମୁଦୁଲି ଗ୍ରାମରେ ଥିବା ଡ୍ରାଇଭର ଜଣାଇଥିଲେ।

ପରେ ପରିବାର ଲୋକେ ସ୍ଥାନୀୟ ବାସିନ୍ଦା ଓ ଆଶାକର୍ମୀଙ୍କ ସହାୟତାରେ ଏକ ଖଟିଆରେ ମହିଳା ଜଣଙ୍କୁ ବୋହି ଆମ୍ବୁଲାନ୍ସ ନିକଟକୁ ନେଉଥିଲେ। ମାତ୍ର ମୁଣ୍ଡିଗୁଡା ଗ୍ରାମ ରାସ୍ତାରେ ପରମାଙ୍କ ପ୍ରସବ ବେଦନା ବଢ଼ିଥିଲା। ସେଠାରେ ସେମାନେ ଅଟକି ଥିବା ବେଳେ ପରମା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ପରେ ପୁଣି ପରମା ଓ ନବଜାତକଙ୍କୁ ଖଟିଅରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଇଥିଲେ। ସେଠାରୁ ମାଆ ଓ ଶିଶୁକୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେହିପରି ଡାକ୍ତର ପ୍ରକାଶ ଚନ୍ଦ୍ର ନାୟକ ଶିଶୁ ଓ ମାଆ ସୁସ୍ଥ ଥିବା ଜଣାଇଥିଲେ। ତେବେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ଗାଁକୁ ରାସ୍ତା ନିର୍ମାଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।