କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ମହିଳାଙ୍କ ପ୍ରସବ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଗୁଣ୍ଠାୱାର୍ଡ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବାହାର ରାଜ୍ୟରୁ ଫେରି ରହୁଥିବା ଅନ୍ତେବାସୀଙ୍କ ମଧ୍ୟରୁ ଜଣେ ମହିଳା ସନ୍ତାନ ପ୍ରସବ କରିଛନ୍ତି। ତାଙ୍କ ଘର ଗୁଣ୍ଠାଓ୍ବାର୍ଡା ପଞ୍ଚାୟତ କନ୍ଧଗୁଡ଼ା ଗ୍ରାମରେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ କନ୍ଧଗୁଡ଼ା ଗ୍ରାମର ସୁଧୀର ଖରାଙ୍କ ସ୍ତ୍ରୀ ଲଚମି ଖରା ଗର୍ଭବତୀ ଅବସ୍ଥାରେ କ୍ୱାରେଣ୍ଟାଇନରେ ଥିବା ବେଳେ ଆଜି ତାଙ୍ର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା।

ଖବରପାଇ ଚିତ୍ରକୋଣ୍ଡା ବିଡିଓ ଲରିମନ ଖରସେଲ, ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଡାକ୍ତର କ୍ଷୀରୋଦ ଚନ୍ଦ୍ର ମହନ୍ତଙ୍କ ନେତୃତ୍ୱରେ ତତ୍‌କ୍ଷଣାତ ଆମ୍ବୁଲାନ୍ସ ପଠାଯାଇଥିଲା। ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ସୁରକ୍ଷିତ ଭାବରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଉଭୟ ମା’ ଓ ପିଲା ବର୍ତ୍ତମାନ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି। ପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଅଣାଯାଇ ସ୍ବତନ୍ତ୍ର ମେଡିକାଲ ରୁମ୍‌ରେ ରଖାଯାଇଛି।

ଏହି ଖବର ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ବାଲ ଜାଣିବା ପରେ ଅନ୍ତୋବାସୀଙ୍କୁ ରେଡ୍‌କ୍ରସ ପକ୍ଷରୁ ୫ ହଜାର ଟଙ୍କା ଚିତ୍ରକୋଣ୍ଡା ବିଡିଓଙ୍କ ମାଧ୍ୟମରେ ପ୍ରଦାନ କରିବା ସହିତ ଚିତ୍ରକୋଣ୍ଡା ବିଡିଓ ମା’ ଓ ପିଲା ପାଇଁ ଡ୍ରେସ୍‌ ଯୋଗାଇ ଦେଇଥିଲେ। ଏହି ସମୟରେ କନିଷ୍ଠ ଯନ୍ତ୍ରୀ ଶିବାଶିଷ ବିଶ୍ୱାସ ଓ ଆକାଉଣ୍ଟାଣ୍ଟ ରାଜେନ୍ଦ୍ର ଦାସ ଉପସ୍ଥିତ ଥିଲେ।