ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା। ଗାଁରେ ଆମ୍ବୁଲାନ୍ସ ନପହଞ୍ଚିବାରୁ ଜଣେ ଗର୍ଭବତୀଙ୍କୁ ୭ କିଲୋମିଟର ଷ୍ଟ୍ରେଚରରେ ବୋହି ବୋହି ନାଗାବଳୀ ନଦୀପାର କରିବାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ସଦର ବ୍ଲକ ହାଟଶେଷଖାଲ ପଞ୍ଚିୟତ ଅନ୍ତର୍ଗତ କେରାଣ୍ଡି ଗ୍ରାମରେ। ଗ୍ରାମର ଆସନ୍ନ ପ୍ରସବା ଶାରଦା କଣ୍ଡାଗରୀ(୨୧)ଆଜି ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ତେବେ ଆମ୍ବୁଲାନ୍ସ ଟି ହାଟଶେଷଖାଲ ଗ୍ରାମ ପର୍ଯ୍ୟନ୍ତ ଆସି ଅଟକି ଯାଇଥିଲା। ନାଗାବଳୀ ନଦୀ ଆରପାରିରେ କେରାଣ୍ଡିଗୁଡାକୁ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଆଗକୁ ଯାଇପାରିନଥିଲା । ପରେ ପରିବାର ଓ ସମ୍ପର୍କୀୟମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ନାଗାବଳୀ ନଦୀପାର କରି ପ୍ରାୟ ୭ କିଲୋମିଟର ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ପରେ ଆମ୍ବୁଲାନ୍ସରେ ମେଡିକାଲକୁ ନିଆଯାଇଥିଲା । ବର୍ତ୍ତମାନ ଗର୍ଭବତୀ ଜଣକ ସୁସ୍ଥ ଥିବା ଜଣାପଡିଛି । ତେବେ ଜିଲ୍ଲାରେ ବାରମ୍ବାର ଏପରି ଯନନୀ ଯନ୍ତ୍ରଣା ନଜରକୁ ଆସୁଥିବା ବେଳେ ପ୍ରଶାସନର ପାରିଲା ପଣିଆକୁ ପଦାରେ ପକାଇଛି। ଏନେଇ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ପଚାରିବାରୁ ଜିଲ୍ଲାର ଏମିତି ଅନେକ ପାହାଡ ଉପରେ ଜାଗା ରହିଛି ଯେଉଁଠି ହାତ ଗଣତି ଲୋକେ ବସବାସ କରୁଛନ୍ତି । ସେମାନଙ୍କୁ ପାହାଡ ତଳେ ଆସି ବସତି ପାଇଁ କୁହାଗଲେ ସୁଦ୍ଧା ଆସୁନାହାଁନ୍ତି । ତେଣୁ ଏଭଳି ଜାଗାକୁ ଆମ୍ବୁଲାନ୍ସ ପହଞ୍ଚିପାରୁ ନହିଁ । ଫଳରେ ବାଧ୍ୟ ହୋଇ ଆମ୍ବୁଲାନ୍ସ କର୍ମଚାରୀ ସ୍ୱତପ୍ରବୃତ ଭାବେ ଷ୍ଟେଚରରେ ବୋହି ଆଣୁଛନ୍ତି । ଏଦିଗରେ ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।