ବାଲିଗୁଡ଼ା,ଏନ୍ଏନ୍ଏସ୍: ବାଲିଗୁଡ଼ା ଉପଖଣ୍ଡ ପ୍ରଶାସନ ଚଳିତ ମାସ ୨୮ ତାରିଖ ସକାଳ ୭ଟା ୩୦ ମିନିଟରେ ଏକ ‘ପଥ ଉତ୍ସବ ଏବଂ ୱାକଥନ’ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି । ଯୁବଗୋଷ୍ଠୀକୁ ମତଦାନ ଅଧିକାର ବିଷୟରେ ସଚେତନ କରିବା ଏବଂ ସେମାନଙ୍କୁ ଦେଶର ଜଣେ ଦାୟିତ୍ୱବାନ ନାଗରିକ ହେବାପାଇଁ ସ୍ଥାନୀୟ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ କଳାକାରଙ୍କ ଦ୍ୱାରା ନାଚ, ଗୀତ, ପଥପ୍ରାନ୍ତ ନାଟକ, ରଙ୍ଗୋଲି, ଚିତ୍ରାଙ୍କନ ଓ ରାଲି ମାଧ୍ୟମରେ ଭୋଟରଙ୍କୁ ସଚେତନ କରାଯିବ । ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିବା ନିମନ୍ତେ ଉପଜିଲ୍ଲାପାଳ ମଧୁମିତାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଅଧିକ ମାତ୍ରାରେ ଛାତ୍ରଛାତ୍ରୀଙ୍କ ଯୋଗଦାନ ସହିତ ଶାନ୍ତି ଶୃଙ୍ଖଳାର ସହିତ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ବୈଠକରେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବିଭାଗୀୟ ଅଧିକାରୀଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ସ୍ଥାନୀୟ ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ, ଆଦିବାସୀ ମହାବିଦ୍ୟାଳୟର ଅଧ୍ୟକ୍ଷ, ଏନଏସଏସ ଅଫିସର, ଉପଖଣ୍ଡ ଚିକିତ୍ସାଧିକାରୀ, ଅଗ୍ନିଶମ ବିଭାଗୀୟ ଅଧିକାରୀ, ବନବାସୀ ସେବା ସମିତିର କର୍ମକର୍ତ୍ତା , ଭାରପ୍ରାପ୍ତ ଥାନାଧିକାରୀଙ୍କ ସମେତ ଉପଖଣ୍ଡ କଳାକାର ସଂଘର ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ ରୂପକ କୁଜୁର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହ୍ଲାଦ ଖୋସ୍ଲା କାର୍ଯ୍ୟକ୍ରମର ରୂପରେଖ ତଥା କାର୍ଯ୍ୟସୂଚୀ ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ ।