ବିଶିଷ୍ଟ ଅର୍ଥନୀତିଜ୍ଞ ରାଜେନ୍ଦ୍ର କୁମାର ପଚୌରୀଙ୍କ ପରଲୋକ

ନୂଆଦିଲ୍ଲୀ,ଏଜେନ୍ସି: ବିଶିଷ୍ଟ ଅର୍ଥନୀତିଜ୍ଞ ରାଜେନ୍ଦ୍ର କୁମାର ପଚୌରୀଙ୍କର ଗୁରୁବାର ୭୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଶକ୍ତି ଓ ସମ୍ବଳ ପ୍ରତିଷ୍ଠାନ (ଟେରି)ର ପୂର୍ବତନ ଅଧ୍ୟକ୍ଷ ରହିଥିଲେ। ଫୁସଫୁସ୍ ସଂକ୍ରମଣ ପାଇଁ ତାଙ୍କୁ ସ୍ଥାନୀୟ ଏସ୍କଟ ହାର୍ଟ ଇନଷ୍ଟିଚ୍ୟୁଟ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଓପନ ହାର୍ଟ ସର୍ଜରୀ କରାଯାଇଥିବା ବେଳେ ତାଙ୍କୁ ଭେଣ୍ଟେଲେଟରରେ ରଖାଯାଇଥିଲା । ତେବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଏନେଇ ଟେରିର ମହାନିର୍ଦେଶକ ଅଜୟ ମାଥୁର ସୂଚନା ଦେଇଛନ୍ତି।

ତେବେ ପଚୌରୀ ପୂର୍ବରୁ ଏକ ବିବାଦରେ ଫଶି ମହାନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ନାଁରେ ଅଭିଯୋଗ ଥିଲା ଯେ, ସେ ଜଣେ ମହିଳା ସହଯୋଗୀଙ୍କୁ ଯୌନ ନିର୍ୟାତନା ଦେଉଥିଲେ। ଏଭଳି ଅଭିଯୋଗ ଆସିବା ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ। ତେବେ ସେ ୨୦୦୨ରୁ ୨୦୧୫ ପର୍ୟ୍ୟନ୍ତ ଜାତିସଂଘର ଇଣ୍ଟର ଗଭର୍ଣ୍ଣମେଣ୍ଟ ପ୍ୟାନେଲ ଅନ କ୍ଲାଇମେଟ ଚେଞ୍ଜ (ଆଇପିସିସି)ର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ସାରିଛନ୍ତି। ତାଙ୍କ ଅଧ୍ୟକ୍ଷତା ସମୟରେ ୨୦୦୭ରେ ଆଇପିସିସି ନୋବେଲ ଶାନ୍ତି ପୁରସ୍କାର ପାଇଥିଲା। ୨୦୦୮ରେ ତାଙ୍କୁ ଭାରତ ସରକାର ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ କରିଥିଲେ।