ଚାଷୀ ଆନ୍ଦୋଳନରୁ ମୁଁହ ଫେରାଇବାକୁ ନାଟକ : ବିଜେଡି

ଭୁବନେଶ୍ୱର, ଏନ୍ଏନ୍ଏସ୍: କେନ୍ଦ୍ରର କୃଷି ଆଇନ୍‍କୁ ହେଉଥିବା ଦେଶବ୍ୟାପୀ ବିରୋଧ ଏବଂ ଦୀର୍ଘ ଦୁଇ ମାସ ଧରି ଚାଲିଥିବା ଚାଷୀ ଆନ୍ଦୋଳନରୁ ଲୋକଙ୍କ ନଜର ହଟାଇବା ପାଇଁ ରାଜ୍ୟ ବିଜେପି ନାଟକ ରଚୁଛି। ମଣ୍ଡିରେ ଧାନ ସଂଗ୍ରହର ଆଳ ଦେଖାଇ ବିକ୍ଷୋଭ କରିବା ଏବଂ ଆରଡିସି ଅଫିସ୍‍ ଘେରିବା ଉଦ୍ୟମ ବିଜେପିର ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ।

ଶ୍ରୀ ଦେବ କହିଛନ୍ତି ଯେ, କେନ୍ଦ୍ରର କୃଷି ଆଇନକୁ ନେଇ ଏବେ ସାରା ଦେଶରେ ବିରୋଧ ବଢିବାରେ ଲାଗିଛି। ଓଡିଶାର କୃଷକମାନେ ଦିଲ୍ଲୀ ଯାଇ ସେଠାରେ ବିରୋଧ କରୁଛନ୍ତି। ରାଜ୍ୟସଭାରେ ଧ୍ୱନି ମତରେ ବିଲ୍‍ ପାସ୍ କରାଇ କେନ୍ଦ୍ର ସରକାର ଅଡୁଆରେ ପଡିଥିବାବେଳେ ସେଥିରୁ ନଜର ହଟାଇବା ପାଇଁ ଏବେ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଯେତିକି ଧାନ ସଂଗ୍ରହ ହୋଇଛି ତାହା ଗତବର୍ଷର ଏହି ସମୟ ତୁଳନାରେ ୨୫ ପ୍ରତିଶତ ଅଧିକ ରହିିଛି। ତେଣୁ ସରକାର ଧାନ ଉଠାଉ ନାହାନ୍ତି ବୋଲି ବିଜେପି ଯେଉଁ ଅଭିଯୋଗ କରୁଛି ସେଥିରେ କୌଣସି ସତ୍ୟତା ନାହିଁ। ଏକ ରାଜନୈତିକ ଚିନ୍ତାଧାରାରେ ସରକାରଙ୍କୁ କାଠଗଡାରେ ଛିଡା କରାଇବା ପାଇଁ ବିଜେପି ସବୁବେଳେ ଉଦ୍ୟମ କରୁଛି।