ନିଜ ଆଚରଣ ପାଇଁ କ୍ଷମାମାଗନ୍ତୁ ବିଜେପି ବିଧାୟକ: ପ୍ରମିଳା ମଲ୍ଲିକ

ଭୁବନେଶ୍ୱର, ଏନ୍ଏନ୍ଏସ୍: ବିଜେପି ବିଧାୟକଗଣ ଧାରଣା ଶେଷ କରିବା ପରେ ପ୍ରେସମିଟ୍ ଡକାଇ ପୁଣିଥରେ ବାଚସ୍ପତି ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଯାହାକୁ ନେଇ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ବିଧାୟିକା ପ୍ରମିଳା ମଲ୍ଲିକ। ଗଣତନ୍ତ୍ରର ପବିତ୍ର ମନ୍ଦିରରେ ବାଚସ୍ପତିଙ୍କ ଉପରକୁ ଜୋତା ଫୋପାଡ଼ିବା ଭଳି ଅତ୍ୟନ୍ତ ଅଶୋଭନୀୟ ଓ ଲଜ୍ଜାଜନକ ଘଟଣା ଘଟାଇବା ପରେ ବିଜେପି ବିଧାୟକମାନେ ରାତି ସାରା ଗାନ୍ଧୀମୂର୍ତ୍ତି ତଳେ ବସିବା ସଇତାନର ବେଦପାଠ ସଦୃଶ। ସେମାନେ ଯେଉଁ କାର୍ଯ୍ୟ କରିଛନ୍ତି ସେଥିପାଇଁ ଓଡ଼ିଶାବାସୀ ଏବଂ ବାଚସ୍ପତିଙ୍କୁ କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି। ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ବିଜେପି ବିଧାୟକମାନେ ବିଧାନସଭାରେ ଯେଭଳି ଲଜ୍ଜାଜନକ କାଣ୍ଡ ଘଟାଇଲେ ଓ ପରେ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ବସିଲେ ସେଥିରୁ ଆମେ ଆଶା କରିଥିଲୁ ଯେ ସେମାନଙ୍କୁ ସଦବୁଦ୍ଧି ମିଳିବା ସହିତ ଜ୍ଞାନଚକ୍ଷୁ ଖୋଲିଥିବ। ହେଲେ ସେଭଳି କିଛି ହୋଇନଥିବା ସେମାନଙ୍କର ପ୍ରେସମିଟରୁ ପ୍ରତୀୟମାନ ହେଉଛି।

ରାତି ସାରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବସିଲାପରେ ମଧ୍ୟ ନିଜର ଅଶୋଭନୀୟ ଲଜ୍ଜାଜନକ କାର୍ଯ୍ୟପାଇଁ ପ୍ରାୟଶ୍ଚିତ କରିନାହାନ୍ତି। ବିଧାନସଭା ଭିତରେ ବିଜେପି ବିଧାୟକଙ୍କ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ ଓ ଚପଲ ଫିଙ୍ଗା କାର୍ଯ୍ୟକୁ ନେଇ ରାଜ୍ୟବାସୀ ଦୃଢ଼ ନିନ୍ଦା କରିଛନ୍ତି। ବିଜେପି ନେତାମାନେ ପୂର୍ବରୁ ବିଧାନସଭା ବାହାରେ ହିଂସା ଆଚରଣ କରିବାର ବହୁ ନଜିର ଥିବାବେଳେ ସେମାନେ ଏବେ ତାହାକୁ ବିଧାନସଭା ପରିସରକୁ ଆଣିଛନ୍ତି। ଏହା କେବଳ ବିଧାନସଭା ଇତିହାସରେ କଳାଦାଗ ଲଗାଇନାହିଁ, ବରଂ ପରପିଢ଼ି ପାଇଁ ଖରାପ ବାର୍ତ୍ତା ଦେଇଛି। ବିଧାୟକଙ୍କ ଏଭଳି ଆଚରଣ ଏବେ ସମଗ୍ର ଦେଶରେ ଓଡ଼ିଶାର ମୁଣ୍ଡ ତଳକୁ କରିଦେଇଛି। ତେଣୁ ଏଭଳି ଆଚରଣ ପାଇଁ ବିଜେପି ବିଧାୟକମାନେ ରାଜ୍ୟବାସୀଙ୍କ ନିକଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ।