ନୂଆଦିଲ୍ଲୀ,ଏଜେନ୍ସି: ବିଜେପି ସାଂସଦ ପ୍ରଜ୍ଞା ଠାକୁର ଶୁକ୍ରବାର ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନଥୁରାମ୍ ଗୋଡ଼ସେଙ୍କୁ ଦେଶଭକ୍ତ କହିଥିବା ବୟାନକୁ ନେଇ ଲୋକସଭାରେ କ୍ଷମା ମାଗିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ମୋର ବୟାନକୁ ଏପଟ ସେପଟି କରି ପ୍ରସ୍ତୁତ କରାଯାଇଛି। ମୁଁ ମହାତ୍ମାଗାନ୍ଧୀଙ୍କ ସମ୍ନାନ କରୁଛି ବୋଲି କହିଥିଲେ।
ପ୍ରଜ୍ଞା ଠାକୁର ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରି କହିଛନ୍ତି ଯେ ଅଦାଲତ ପକ୍ଷରୁ କୌଣସି ଦୋଷ ସାବସ୍ତ୍ୟ ହୋଇନଥିବା ବେଳେ ସର୍ବସାଧାରଣରେ ମତେ ଆତଙ୍କବାଦୀ ବୋଲି କୁହାଯାଇଛି, ଯାହାକି ଆଇନ ଅନୁସାରେ ଅପରାଧ ଅଟେ। ଏହାଦ୍ୱାର ମୋର ମାନସମ୍ନାନ ହାନୀ ହୋଇଛି ବୋଲି କହିଥିଲେ। ଏ ନେଇ ଲୋକସଭାରେ ଉତ୍ତେଜନା ପ୍ରକାଶ ପାଇଥିଲା। କଂଗ୍ରେସ ସମେତ ବିରୋଧୀ ଦଳର ସାଂସଦ ପ୍ରଜ୍ଞା ଠାକୁରଙ୍କ ବୟାନକୁ ନେଇ ନାରାବାଜି କରିଥିଲେ।
ଏହି ପରିପ୍ରେକ୍ଷୀରେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା କହିଛନ୍ତି ଯେ ସାଧ୍ୱୀ ପ୍ରଜ୍ଞା ଠାକୁର ଗାନ୍ଧୀଙ୍କ ହତ୍ୟାକାରୀ ନଥୁରାମ ଗୋଡ଼ସେଙ୍କୁ ଦେଶଭକ୍ତ କହିଥିବା କଥାକୁ ରେକର୍ଡ କରାଯାଇନାହିଁ। ଅପରପକ୍ଷରେ ପ୍ରଜ୍ଞା ଠାକୁର ଏହି ମନ୍ତବ୍ୟ ପାଇଁ କ୍ଷମା ମାଗିଥିବା ସେ କହିଛନ୍ତି। ତେବେ ଏହି ସମୟରେ ଲୋକସଭାରେ ନାରାବାଜି ଜାରି ରହିଥିଲା। ପରେ ବିଜେପି ନେତାମାନେ ରାହୁଲ ଗାନ୍ଧୀ ସର୍ବସାଧାରଣରେ ପ୍ରଜ୍ଞା ଠାକୁରଙ୍କୁ ଆତଙ୍କବାଦୀ କହିଥିବାରୁ ତାଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି।