କଟକଣା ନ ମାନିଲେ ସ୍ଥିତି ବିଗିଡ଼ିବ: ଏସିଏସ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଖୁବଶୀଘ୍ର ପିକ୍ ସ୍ତରରେ ପହଞ୍ଚିବ ସଂକ୍ରମଣ। ଏବେ ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଥିବାବେଳେ ତୃତୀୟ ଲହର ମଧ୍ୟ ଆସୁଛି। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ବିଭିନ୍ନ ରାଜ୍ୟରେ ସଂକ୍ରମଣର ତୃତୀୟ ଲହର ଆସିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ଦେଶ ଓ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ପାର କରୁଥିବାବେଳେ ରାଜ୍ୟ ସରକାର ଲକଡାଉନ୍ ପନ୍ଥା ଆପଣାଇଛନ୍ତି। ବିଗୁଡ଼ୁଥିବା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକଡାଉନ୍ ଜାରି କରାଯାଇଛି। ତା ସତ୍ତ୍ୱ ମଧ୍ୟ ଲୋକଙ୍କ ସୁବିଧାକୁ ଦେଖି ମଧ୍ୟାହ୍ନ ୧୨ଟା ଯାଏଁ ଲକଡାଉନ୍ କୋହଳ ରହିଛି। ହେଲେ କଟକଣାକୁ ରାଜ୍ୟବାସୀ ନ ମାନିଲେ ଆଗକୁ ସ୍ଥିତି ଆହୁରି ବିଗିଡ଼ିବ ବୋଲି ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।
ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ସରକାର ରାଜ୍ୟରେ କେବେ ବି ଲକ୍ଡାଉନ୍ ଚାହୁଁନଥିଲେ। ପ୍ରଥମେ ସୀମାବର୍ତ୍ତୀ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ, ସପ୍ତାହନ୍ତ ସଟଡାଉନ୍ କରାଯାଇଥିଲା। ସ୍ଥିତି ନ ସୁଧୁରିବାରୁ ସପ୍ତାହନ୍ତ ସଟଡାଉନ୍ ଓ ପରେ ଲକଡାଉନ୍ କରାଯାଇଛି। ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଲକଡାଉନ୍ ଲାଗୁ କରିଛନ୍ତି। ତେଣୁ ଜନସାଧାରଣ ସରକାରଙ୍କୁ କରାନା ମୁକାବିଲା କରିବାରେ ସହଯୋଗ କରିବା ସହ କୋଭିଡ୍ କଟକଣାକୁ ମାନନ୍ତୁ ବୋଲି ଶ୍ରୀ ମହାପାତ୍ର ଅପିଲ୍ କରିଛନ୍ତି। ସକାଳେ ବଜାର ପାଇଁ ଦିଆଯାଇଥିବା ସମୟର ଅପବ୍ୟବହାର କରନ୍ତୁ ନାହିଁ। ନିୟମ ଅନୁଯାୟୀ ଘରୁ ବାହାରକୁ ବାହାରନ୍ତୁ, ନଚେତ୍ ଅକାରଣେ ବାହାରକୁ ବାହାରନ୍ତୁ ନାହିଁ ଓ ନିୟମ ପାଳନ କରନ୍ତୁ। କରୋନାର ତୃତୀୟ ପ୍ରବାହ ଆସୁଛି, ଏଥିପ୍ରତି ସମସ୍ତେ ସଚେତନ ହୁଅନ୍ତୁ। କଟକଣାକୁ ଖାତିର ନ କଲେ ସ୍ଥିତି ବିଗିଡ଼ିବ ବୋଲି ସେ କହିଛନ୍ତି।