ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପ୍ତ ନାଏକଙ୍କ ଚିଠି: ବିଧାନସଭାରେ ସମସ୍ତ କାର୍ଯ୍ୟାବଳୀ ଓଡ଼ିଆ ଭାଷାରେ ହେଉ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୀର୍ଘଦିନର ଦାବି ପରେ ରାଜ୍ୟ ସରକାର ଓଡ଼ିଆ ଭାଷାରେ ସରକାରୀ କାମ ହେବ ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ନେଇ ଘୋଷଣା କରିଥିବା ବେଳେ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଆଜି ମଧ୍ୟରାଜ୍ୟସରକାରଙ୍କ ଅଧିକାଂଶ ବିଭାଗରେ ଇଂରାଜୀ ଭାଷାରେ କାର୍ଯ୍ୟ ହେଉଛି। ଏଥିରୁ ବିଧାନସଭା ବି ବାଦ ପଡୁନି। ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ଉଭୟ ଲୋକସେବା ଭବନ ଓ ବିଧାନସଭାରେ ପ୍ରାୟ ସମସ୍ତ ଚିଠି ଏବେବି ଇଂରାଜୀ ଭାଷାରେଲେଖାଯାଉଛି। ଏ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓଡ଼ିଆ ଭାଷା ପ୍ରତି ଏପରି ବୈମାତୃକ ମନୋଭାବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ ବିଧାନସଭାର ସମସ୍ତ କାର୍ଯ୍ୟାବଳୀ ଓଡ଼ିଆ ଭାଷାରେ କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି।

ଖାଲି ସେତିକି ନୁହେଁ ନ୍ୟାୟାଳୟରେ ମଧ୍ୟ ମୁଖ୍ୟ ଭାଷା ଭାବରେ ଇଂରାଜୀ ଭାଷାର ବ୍ୟବହାର ହେଉଛି। ଫଳରେ ସରକାରୀ କାର୍ଯ୍ୟକ୍ରମ ହେଉ ବା ନ୍ୟାୟ ହେଉ ସାଧାରଣ ଲୋକମାନେ ଭାଷାର ବାଧକତା କାରଣରୁ ବଞ୍ଚିତ ହେଉଛନ୍ତି। ଏହାକୁ ରୋକିବାକୁ ହେଲେ ରାଜ୍ୟ ଶାସନ ପ୍ରକ୍ରିୟାରେ ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରିବାକୁ ପଡ଼ିବ। ସରକାରଙ୍କର ସମସ୍ତ ଚିଠି, ବିଜ୍ଞପ୍ତିକୁ ଓଡ଼ିଆ ଭାଷାରେ ପ୍ରକାଶନ କରିବାକୁ ପଡ଼ିବ ବୋଲି ଶ୍ରୀ ନାଏକ ଦର୍ଶାଇଛନ୍ତି। ସେହିପରି ଅନ୍ୟ ରାଜ୍ୟମାନେ ସେମାନଙ୍କର ନ୍ୟାୟିକ ବ୍ୟବସ୍ଥାରେ ସଂସ୍କାର ଆଣି ନିଜର ମାତୃଭାଷାରେ ନ୍ୟାୟ ଦେବା ପାଇଁ ପଦକ୍ଷେପ ନେଲେଣି କିନ୍ତୁ ଓଡ଼ିଶା ଏ ଦିଗରେ ବର୍ତ୍ତମାନ ସୁଦ୍ଧା ଭାବିବା ଆରମ୍ଭ କରିନାହିଁ ବୋଲି ଚିଠିରେ ଦର୍ଶାଇଛନ୍ତି।

ସରକାରୀ କାର୍ଯ୍ୟ, ବିଧାନସଭା ଓ ବିଚାର ବିଭାଗୀୟ କାର୍ଯ୍ୟଧାରା ଲୋକାଭିମୁଖୀ ହେବାର ଆବଶ୍ୟକତା ଥିବାରୁ ଯଥାଶୀଘ୍ର ଓଡ଼ିଆ ଭାଷାର ବ୍ୟବହାର ବୃଦ୍ଧି ପାଇବ ରାଜ୍ୟବାସୀଙ୍କ ପାଇଁ ସେତେ ମଙ୍ଗଳକାରୀ ହେବ। ତେଣୁ ମୁଖ୍ୟମନ୍ତ୍ରୀ ସାଧାରଣଓଡ଼ିଆମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏ ନେଇ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ନାଏକ ଦାବି କରିଛନ୍ତି।