ଡ. ପ୍ରଦୀପ ଦାଶଙ୍କୁ ମିଳିବ ଶାରଳା ପୁରସ୍କାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଶିଷ୍ଟ ଲେଖକ ଡ. ପ୍ରଦୀପ ଦାଶ ତାଙ୍କ ରଚିତ “ଚରୁ ଚିବର ଓ ଚର୍ଯ୍ୟା‘ ନିମନ୍ତେ ୪୦ତମ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଶାରଳା ପୁରସ୍କାର ଉପଦେଷ୍ଟା ପରିଷଦ ବୈଠକରେ ଏହି ସିଦ୍ଧାନ୍ତ ଗ୍ରହଣ କରାଯାଇଛି। ପୁରସ୍କାର ସ୍ୱରୂପ ଡଃ ପ୍ରଦୀପ ଦାଶଙ୍କୁ ୫ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ। ଏହାବ୍ୟତୀତ ରାଜ୍ୟର ଅନ୍ୟ ୨ଜଣ କୃତୀ ବ୍ୟକ୍ତିଙ୍କୁ ସେମାନଙ୍କ ନିଜସ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଇଲା ପଣ୍ଡା ସଙ୍ଗୀତ ସମ୍ମାନ ଏବଂ ଇଲା ପଣ୍ଡା ଚିତ୍ରକଳା ସମ୍ମାନରେ ସମ୍ମାନିତ କରାଯିବ। ଚଳିତ ବର୍ଷ ସଙ୍ଗୀତ କ୍ଷେତ୍ରରେ ପଣ୍ଡିତ ହରମୋହନ ଖୁଣ୍ଟିଆ ଏବଂ ଚିତ୍ରକଳା କ୍ଷେତ୍ରରେ ଲଲାଟ ମୋହନ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଛି। ପୁରସ୍କାର ସ୍ୱରୂପ ଉଭୟଙ୍କୁ ୧ଲକ୍ଷ ୫୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

ଆସନ୍ତା ଅକ୍ଟୋବର ୨୬ତାରିଖରେ ଦିନ ମେ ଫେୟାର୍ ଲାଗୁନ୍ ହୋଟେଲ୍‌ ଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ “ଶାରଳା ପୁରସ୍କାର’ ସହ ଉପାୟନ ପ୍ରଦାନ  କରାଯିବ। ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି। ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ଡଃ ବଂଶୀଧର ପଣ୍ଡା ଏବଂ ସ୍ୱର୍ଗତ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ “ଶାରଳା ପୁରସ୍କାର’ ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ୍‌ ମେଟାଲସ୍ ଆଣ୍ଡ୍‌ ପବ୍ଳିକ୍‍ ରିଟେଲ୍ ଟ୍ରଷ୍ଟ୍ (ଇମ୍ପାକ୍ଟ) ଆନୁକୂଲ୍ୟରେ ୧୯୭୯ ମସିହାଠାରୁ ପ୍ରତିବର୍ଷ ପ୍ରଦାନ କରାଯାଉଛି। ଇମ୍ପାକ୍ଟ ଅନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟ ହେଲା “ଏକଲବ୍ୟ ପୁରସ୍କାର, ଯାହାକି ପ୍ରତିବର୍ଷ ଓଡ଼ିଶାର ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ ପ୍ରୋତ୍ସାହନ ସ୍ୱରୂପ ପ୍ରଦାନ କରାଯାଇଥାଏ।