ପ୍ରବୋଧ ରଥ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ 

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ଥିବା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ହେଲେ ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ପ୍ରବୋଧ ରଥ। ଏଥିପାଇଁ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତାଙ୍କର ଏକକ ନାଟକ ଭାରତର ବିଭିନ୍ନ ଅଞ୍ଚଳରେ ମଞ୍ଚସ୍ଥ ହୋଇଛି। ଯାହାକି ଦର୍ଶକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଛି। ଏକକ ମଞ୍ଚ ନାଟକର ପ୍ରଚାରପ୍ରସାର ସହିତ କଳାହାଣ୍ଡି ଭଳି ଆଦିବାସୀ ଅଧୁଷିତ ଜିଲ୍ଲାରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ମଞ୍ଚ ନାଟକର ପ୍ରଚାର ପାଇଁ ପ୍ରୟାସ ଜାରି ରଖିଛନ୍ତି। ତାଙ୍କର କାମ ବହୁ ରାଜ୍ୟ ତଥା ଜାତୀୟସ୍ତର କଳା ଅନୁଷ୍ଠାନ ଦ୍ୱାରା ଆଦୃତ ହୋଇଛି। ଏହାସହିତ ସେ ତାଙ୍କର ନିର୍ଦ୍ଦେଶନା, ଅଭିନୟ ପାଇଁ ବହୁ ସମ୍ମାନର ଅଧିକାରୀ ହୋଇଛନ୍ତି।

ଶ୍ରୀ ରଥ ମନନ ନାଟ୍ୟ ସମ୍ମାନ, ‘ଶତାବ୍ଦୀର କଳାକାର ନାଟ୍ୟ ସମ୍ମାନ’, ‘ସମ୍ପର୍କ ନାଟ୍ୟ ସମ୍ମାନ’, ‘କୌଶଳ ଗୌରବ ନାଟ୍ୟ ସମ୍ମାନ’, ‘ଶ୍ରୀ ନାଟ୍ୟ ସମ୍ମାନ’ ଭଳି ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଏହାବ୍ୟତିତ ତାଙ୍କର ଏକକ ଅଭିନୟ ଓ ମଞ୍ଚ ନାଟକରେ ବିଶେଷ ଅବଦାନ ପାଇଁ କଳାହାଣ୍ଡି ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟ, କଳାହାଣ୍ଡି ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି, କଳାହାଣ୍ଡି କଳାକାର ସଂଘ ସଭାପତି, ଭବାନିପାଟଣାର ସ୍ମାରକୀ ନାଟ୍ୟ ସଂସ୍ଥାର ସଭାପତି, ଓଡ଼ିଶା ନାଟ୍ୟ ସଂଘର ପୂର୍ବତନ ଉପ ସଭାପତି, ଓଡ଼ିଶା ନାଟ୍ୟ ସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ପୂର୍ବତନ କାର୍ଯ୍ୟନିର୍ବାହୀ ସଦସ୍ୟଭାବେ କାର୍ଯ୍ୟରତ ଥିଲେ।

ଶ୍ରୀ ରଥ ‘ଶବ ପଡିଛି’, ‘ହେ ମୋର ଶବବାହକମାନେ’, ‘ଚାରି ଛକ’, ‘ସ୍ୱର୍ଗକୁ ଯାଅ ହେ ପାପୀମାନେ’, ‘ଫେରାର୍ ଆସାସୀ’, ‘ତିତଲି’, ‘ସେ ଆସିବେ’, ‘ଏମାନେ ସେମାନେ ଆପଣମାନେ’, ‘ବିସ୍ଫୋରଣ’, ‘ଯାହା କହିବି’ ଆଦି ଭଳି ୩୦ରୁ ଉଦ୍ଧ୍ୱର୍ ନାଟକରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟିଛନ୍ତି। ସେହିପରି ସାମାଜିକ ବାର୍ତ୍ତା ଓ ବିଭିନ୍ନ ବିଷୟବସ୍ତୁକୁ ନେଇ ଶ୍ରୀ ରଥ ‘ଶବ ପଡିଛି’, ‘ଯାହା କହିବି’, ‘ଅବାଞ୍ଛିତ କୁରୁକ୍ଷେତ୍ର’, ‘ପୁଣି କେବେ’, ‘ମରୁଭୂମି’, ‘ଦୃଶ୍ୟାନ୍ତର’ଆଦି ଭଳି ଅନେକ ନାଟକର ନିର୍ଦ୍ଦେଶନା ଦେଇଛନ୍ତି।

ଏହି ସବୁ ନାଟକ ବିଭିନ୍ନ ନାଟ୍ୟ ମହୋତ୍ସବ ଓ ନାଟ୍ୟଧାରା କାର୍ଯ୍ୟକ୍ରମରେ ମଞ୍ଚସ୍ଥ ହୋଇଛି। ଶ୍ରୀ ରଥ ୧୯୬୯ ମସିହା ଏପ୍ରିଲ ୨୫ତାରିଖରେ କଳାହାଣ୍ଡିର ଭବାନୀପାଟଣାରେ ଜନ୍ମଗ୍ରହଣ କରିଥିଲେ। ଆସନ୍ତା ସୋମବାର ଶ୍ରୀ ରଥ ଦାୟିତ୍ୱ ଗ୍ରହଣ କରିବେ। ଏସମ୍ପର୍କରେ ଶ୍ରୀ ରଥ କହିଛନ୍ତି, ମାଲକାନଗିରିଠାରୁ ନୁଆପଡା ପର୍ଯ୍ୟନ୍ତ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସମସ୍ତ କାର୍ଯ୍ୟକ୍ରମକୁ ନେବା ପାଇଁ ପ୍ରଚେଷ୍ଟା କରିବି। ମୁଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବଭାବେ ସାରା ଓଡ଼ିଶାର ସଂସ୍କୃତି ଉପରେ ନଜର ରଖିବି। ଗତ ୨ତାରିଖରୁ ଖାଲି ପଡ଼ିଥିଲା ସଚିବ ପଦବି।

ଏହି ଦାୟିତ୍ୱରେ ଥିବା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଓଡ଼ିଶୀ କଣ୍ଠ ସଙ୍ଗୀତ ବିଭାଗର ଅଧ୍ୟାପକ ଗୁରୁ ଡ. ବିଜୟ କୁମାର ଜେନାଙ୍କ କାର୍ଯ୍ୟକାଳ ଗତ୨ତାରିଖରୁ ଶେଷ ହୋଇସାରିଛି। ଡ. ଜେନାଙ୍କର କାର୍ଯ୍ୟକାଳ ୨ ବର୍ଷ ହୋଇସାରିଥିବାବେଳେ ଏଥିପାଇଁ ବୈଠକ ବସିଥିଲା। ରାଜ୍ୟସଚିବାଳୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ସର୍ଚ୍ଚ କମିଟି ବୈଠକ ବସିଥିଲା।

ଏଥିରେ କମିଟି ସଦସ୍ୟ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର, ଲୋକକଳା ଗବେଷକ ମନ୍ମଥ ଶତପଥୀ ଓ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର ରହିଥିଲେ। ଏହି ପଦବି ଲାଗି ଚୟନ ତାଲିକାରେ ପୂର୍ବରୁ ଏକାଡେମୀର ସଚିବଭାବେ ରହିସାରିଥିବା ଅଭିନେତା, ନିର୍ଦ୍ଦେଶକ ପ୍ରଦୀପ ମିଶ୍ର, ବିଶିଷ୍ଟ ମର୍ଦ୍ଦଳବାଦକ ତଥା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପିଜିକାଉନ୍ସିଲ୍ ଅଧ୍ୟକ୍ଷ ପ୍ରଫେସର ଡ. ଜଗନ୍ନାଥ କୁଅଁର, ନାଟ୍ୟପ୍ରତିଭା ପ୍ରବୋଧ ରଥ, ଓଡ଼ିଶୀ ନୃତ୍ୟାଙ୍ଗନା ମୀରା ଦାସ।