ପ୍ରବାସୀ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରବାସୀ ଶ୍ରମିକମାନଙ୍କୁ ଚିହ୍ନଟ କରାଯିବା ସହିତ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ରାଜ୍ୟ ଭିତରେ ଶ୍ରମିକମାନଙ୍କ ନିୟୋଜନ ପାଇଁ କାମ କରିବାର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମାର୍ଗଦର୍ଶନରେ ୨୦୧୫ ମସିହାରେ ପ୍ରସ୍ତୁତ ହେଲା ଷ୍ଟେଟ ଆକ୍ଟ ପ୍ଲାନ। ଏହାର ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗିର ଏବଂ ନୂଆପଡ଼ା ଜିଲ୍ଲାରୁ ଆରମ୍ଭ କରାଯାଇ ମୋଟ ୧୧ଟି ଜିଲ୍ଲାକୁ ସାମିଲ କରାଯାଇଛି। ଶ୍ରମକୁ ସର୍ବାଧିକ ମହତ୍ତ୍ୱ ଦେଇ ଆସୁଥିବା ଏବଂ ଶ୍ରମିକ କଲ୍ୟାଣ ପାଇଁ ଏକାଧିକ ଲୋକାଭିମୁଖୀ କାର୍ଯ୍ୟକ୍ରମ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରମିକ କଲ୍ୟାଣ ପ୍ରତି ରହିଥିବା ଦୂରଦୃଷ୍ଟି ସାକାର କରିବା ଦିଗରେ ଆଉ ଏକ ପାଦ ଆଗକୁ ବଢ଼ାଇଛନ୍ତି।
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବାସୀ ଶ୍ରମିକ ସୁରକ୍ଷା ଓ କଲ୍ୟାଣ ନିମନ୍ତେ  ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ବିନା ଦେୟରେ ଶ୍ରମିକ ସହାୟତା ହେଲ୍ପଲାଇନ (ରାଜ୍ୟ ଭିତର ପାଇଁ- ୧୫୫୩୬୮ ଏବଂ  ରାଜ୍ୟ ବାହାର ପାଇଁ- ୧୮୦୦୨୪୫୬୭୦୩), ଶ୍ରମିକ ଉଦ୍ଧାର ଏବଂ ସେମାନଙ୍କ ଅଭିଯୋଗ ସମାଧାନ ନିମନ୍ତେ ଅନଲାଇନ ଅଭିଯୋଗ ଗ୍ରହଣ ବ୍ୟବସ୍ଥା ‘ଇ- ଶ୍ରମିକ ସମାଧାନ’ ଏବଂ ଶ୍ରମିକଙ୍କ ଆର୍ଥିକ ସଶକ୍ତୀକରଣ ନିମନ୍ତେ ସ୍ୱତନ୍ତ୍ର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି। ତେବେ ଏହା ୫ଟି ଅନ୍ତର୍ଗତ ରହିବ ବୋଲି ଜଣାପଡ଼ିଛି। ‘ଟେକ୍ନୋଲୋଜି’ ପ୍ରୟୋଗରେ ଶ୍ରମିକ ମାନଙ୍କୁ ଠିକସମୟରେ ସହାୟତା ଏବଂ ସୁରକ୍ଷା ଯୋଗାଇଦେବା ପାଇଁ ଏହା ଉଦ୍ଧିଷ୍ଟ ହେଉଥିବା ବେଳେ ଆରମ୍ଭ କରାଯାଇଥିବା ସ୍ୱତନ୍ତ୍ର ପ୍ୟାକେଜ ସେମାନଙ୍କ ଆର୍ଥିକ ସଶକ୍ତୀକରଣ ନିମନ୍ତେ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି।

ସହୟତାଗୁଡ଼ିକ ହେଲା:– 

୧-ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବରଗଡ଼, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ୨୦ଟି ବ୍ଲକରେ ଅତିରିକ୍ତ ୧୦ ଦିନର କାର୍ଯ୍ୟ ସହିତ ବର୍ଦ୍ଧିତ ମଜୁରୀ।
– ଉକ୍ତ ୨୦ଟି ବ୍ଲକର ସବୁ ପଞ୍ଚାୟତକୁ ଜୀବିକା ମିଶନର ‘ସଘନ ପଞ୍ଚାୟତ’ ଭାବେ ଗ୍ରହଣ କରାଯିବ।
– ସେହି ପଞ୍ଚାୟତର ସମସ୍ତ ପରିବାରର ମହିଳା ମାନଙ୍କୁ ‘ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ କରାଯିବ।
– ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ପାଇଁ ବୀମା ସୁବିଧା।
– ବ୍ୟାଙ୍କିଙ୍ଗ ସୁବିଧା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ‘ବ୍ୟାଙ୍କ ମିତ୍ର’ ଭାବରେ ନିଯୁକ୍ତି।
– ୨୦ଟି ବ୍ଲକର ପକ୍କାଘର ନଥିବା ପରିବାର ପାଇଁ ପକ୍କାଘର ସୁବିଧା।
– ପ୍ରବାସୀ ଶ୍ରମିକ ସହାୟତା ପାଇଁ ପ୍ରତି ପଞ୍ଚାୟତରେ ‘ଶ୍ରମିକ ମିତ୍ର’ ନିଯୁକ୍ତି।
– ଆର୍ଥିକ ସଶକ୍ତୀକରଣ ପାଇଁ ବିଡ଼ିଓଙ୍କ ନିରାପତ୍ତା ପାଣ୍ଠିରୁ ଆର୍ଥିକ ସହାୟତା ପାଇଁ ଆବେଦନ ସୁବିଧା।
– ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ମାଧ୍ୟମରେ ବିଭିନ୍ନ ସହାୟତା ପ୍ରଦାନ।
୧୦– ସଠିକ ଭାବରେ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲା ଓ ରାଜ୍ୟ ସ୍ତରରେ ପ୍ରବାସୀ ଶ୍ରମିକମାନଙ୍କର ଡାଟାବେସ୍‌ ପ୍ରସ୍ତୁତି।
୧୧– ବ୍ୟାପକ ସଚେତନତା ନିମନ୍ତେ ସ୍ୱତନ୍ତ୍ର ଆଇଇସି କାର୍ଯ୍ୟକ୍ରମ।
୧୨– ଶ୍ରମିକ ମାନଙ୍କ ପାଇଁ ୫୦ କୋଟି ଟଙ୍କାର କର୍ପସ ପାଣ୍ଠି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମେହନତି ହାତକୁ ସବୁପ୍ରକାର ସୁବିଧା, ସୁଯୋଗ, ସୁରକ୍ଷା ଓ ସହାୟତା ଯୋଗାଇଦେବା ଆମର ଇଚ୍ଛା, ଏବଂ କିପରି ଶ୍ରମିକ ଓ ତା’ର ପରିବାର ଖୁସିରେ ରହିବ ସେ ଦିଗରେ ଆମ ସରକାର କାମ କରୁଛନ୍ତି ବୋଲି କହିଛନ୍ତି। ଏଥିସହ ଶ୍ରମିକମାନଙ୍କ ଖୁସିରେ ଆମ ଖୁସି ବୋଲି କହିଛନ୍ତି।