ଆଳୁର ପ୍ରଭାବ ହାଣ୍ଡିଶାଳରେ, ୨୫କୁ ଦର ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ପିଆଜ ପରେ ବର୍ତ୍ତମାନ ଆଳୁର ପାଳି। ବଜାରରେ ଦିନକୁ ଦିନ ଦୌନନ୍ଦିର ବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧିକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ତେବେ ଗତ କିଛି ମାସ ହେବ ପିଆଜ ଦର ବୃଦ୍ଧିକୁ ନେଇ ବଜାର ମାନ୍ଦା ପଡ଼ିଥିବା ବେଳେ ବର୍ତ୍ତମାନ ଆଳୁ ଦର ୨୫କୁ ଛୁଇଁଛି।

ଗତକାଲି ଠାରୁ ହଠାତ୍ ଆଳୁ ଦର ବୃଦ୍ଧି ଘଟିବା କାରଣରୁ ଖାଉଟି ମହଲରେ ଚିନ୍ତା ବଢ଼ାଇଛି। ତେବେ ୨ଦିନ ତଳେ ଆଳୁ କିଲୋ ପିଛା ୧୭ରୁ ୧୮ଟଙ୍କା ରହିଥିବା ବେଳେ ଆଜି ଏହା ୨୫କୁ ଛୁଇଁଛି। କିଲୋ ପିଛା ପାଖାପାଖି ୭ ଟଙ୍କା ବୃଦ୍ଧି ହୋଇଥିବାରୁ ଏହାର ପ୍ରଭାବ ହାଣ୍ଡିଶାଳରେ ପଡ଼ିଛି। ପୂର୍ବରୁ ପରିବା ଓ ପିଆଜ ଦରକୁ ନେଇ ଖାଉଟି ହନ୍ତସନ୍ତ ଅବସ୍ଥାରେ ଥିବାବେଳେ ଏବେ ଆଳୁ ଦର ଗରିବ ଖାଉଟିଙ୍କ ପାଇଁ ଘୋର ସମସ୍ୟା ସୃଷ୍ଟି କରିଛି।

ତେବେ ଆଳୁର ଏହି ଦରବୃଦ୍ଧି ପାଇଁ ପଶ୍ଚିମବଙ୍ଗ ଦଙ୍ଗାକୁ ବ୍ୟବସାୟୀମାନେ ଦାୟୀ କରିଛନ୍ତି ଓ ଏହା ଏକ ସାମୟିକ ଦରବୃଦ୍ଧି ବୋଲି କହିଛନ୍ତି।