ବଦଳିଲେ ବିକେ ଶର୍ମା, ଅଭୟ ନୂଆ ଡିଜିପି

-ମଧ୍ୟବର୍ତ୍ତୀକାଳିନ ଦାୟିତ୍ୱରେ ସତ୍ୟଜିତ ମହାନ୍ତି
-ବିକେ ଶର୍ମାଙ୍କୁ ଗୃହ ବିଭାଗ ଓଏସଡି ନିଯୁକ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁଲିସ ଡିଜ ବିଜୟ କୁମାର ଶର୍ମାଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ କେନ୍ଦ୍ରୀୟ ଡେପୁଟେସନରେ ଥିବା ଶ୍ରୀଅଭୟଙ୍କୁ ନୂଆ ପୁଲିସ ଡିଜି ଭାବେ ଅବସ୍ଥାପିତ କରାଯାଇଛି। ଶ୍ରୀଅଭୟ ଫେରିବା ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଡିଜିପି ଭାବେ ସତ୍ୟଜିତ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି। ତୁରନ୍ତ ଦାୟିତ୍ୱ ନେବାକୁ ମୁଖ୍ୟମନ୍ତ୍ରୀ ସତ୍ୟଜିତ ମହାନ୍ତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ବିଜୟ ଶର୍ମାଙ୍କ ନାଁରେ ଅଗ୍ନିନିରାପତ୍ତା ସାର୍ଟିଫିକେଟ ପ୍ରଦାନରେ ଅନିୟମିତତା ଅଭିଯୋଗର ତଦନ୍ତ ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।

ଡିଜିପି ଲାଗି ରାଜ୍ୟର ୩ ଜଣ ବରିଷ୍ଠ ଆଇପିଏସଙ୍କ ନାଁ ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି)କୁ ପଠାଯାଇଥିଲା। ସେମାନଙ୍କ ମଧ୍ୟରେ ୧୯୮୬ ବ୍ୟାଚର ଆଇପିଏସ ଶ୍ରୀଅଭୟ, ପ୍ରଦୀପ କାପୁର ଓ ବିଜୟ କୁମାର ଶର୍ମାଙ୍କ ନାଁ ଥିଲା। ଏମାନଙ୍କ ମଧ୍ୟରୁ ୟୁପିଏସସି ଶ୍ରୀଅଭୟଙ୍କ ନାଁକୁ ଚୟନ କରିଛି। ରାଜ୍ୟ ସରକାର ୟୁପିଏସସି ନିର୍ଦ୍ଦେଶ ଅନୁସାରେ ଶ୍ରୀଅଭୟଙ୍କୁ ଡିଜିପି ଭାବେ ଅବସ୍ଥାପିତ କରିଛନ୍ତି। ଶ୍ରୀ ଅଭୟ ଏବେ ହାଇଦ୍ରାବାଦସ୍ଥିତ ଜାତୀୟ ପୁଲିସ ଏକାଡେମୀ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ଅଛନ୍ତି।

ସେହିପରି ୧୯୮୭ ବ୍ୟାଚର ଆଇପିଏସ ତଥା ରାଜ୍ୟ ଗୁଇନ୍ଦା ଡିଜି ସୁନୀଲ ରାୟଙ୍କୁ ରାଜ୍ୟ ଅଗ୍ନିଶମ ବିଭାଗର ଡିଜି ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ୧୯୮୮ ବ୍ୟାଚର ଆଇପିଏସ ଅଫିସର ତଥା ଜେଲ ବିଭାଗର ସ୍ୱତନ୍ତ୍ର ଡିଜି ସତ୍ୟଜିତ ମହାନ୍ତିଙ୍କୁ ଗୁଇନ୍ଦା ଡିଜି ଭାବେ ବଦଳି କରାଯାଇଛି।

ଅପରପକ୍ଷରେ ବିଜୟ ଶର୍ମାଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆସିଛି। ସେ ଅଗ୍ନିଶମ ଡିଜି ଥିବା ସମୟରେ ଅଗ୍ନିନିର୍ବାପକ ସାର୍ଟିଫିକେଟ ପ୍ରଦାନରେ ବ୍ୟାପକ ବିଳମ୍ବ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ଶହଶହ ଅଗ୍ନିନିର୍ବାପକ ସାର୍ଟିଫିକେଟ ଆବେଦନ ବିଭାଗରେ ପଡି ରହିଛି। ଫଳରେ ସାଧାରଣ ଲୋକଙ୍କ ସମେତ ଅଧିକାଂଶ ବ୍ୟବସାୟୀ, ଶିଳ୍ପ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ସହ ହସପିଟାଲ ମଧ୍ୟ ଏହି ତାଲିକାରେ ରହିଛି। ଏଥିପାଇଁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ତଦନ୍ତ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟିରେ ମୁଖ୍ୟଶାସନ ସଚିବ, ଉନ୍ନୟନ କମିଶନର ଓ ଗୃହ ବିଭାଗ ପ୍ରମୁଖ ଶାସନସଚିବଙ୍କୁ ରଖାଯାଇଛି।

ଉଲ୍ଲେଖଥାଉ କି, ଗତ ଅଗଷ୍ଟ ୮ ତାରିଖରେ ବିଜୟ ଶର୍ମାଙ୍କୁ ପୁଲିସ ଡିଜି ଭାବେ ଅବସ୍ଥାପିତ କରାଯାଇଥିଲା। ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ପାଇବା ପରେ ବିଜୟଙ୍କୁ ଅସ୍ଥାୟୀ ଡିଜି ଭାବେ ଦାୟିତ୍ୱ ଦିଆଯାଇଥିଲା।