ମାଓବାଦୀଙ୍କ ସହିଦ ସପ୍ତାହ ପାଳନକୁ ବିରୋଧ କରି ବିରୋଧୀ ମାରିଲେ ମାଓ ପୋଷ୍ଟର

ମାଲକାନଗିରି,ଏନ୍ଏନ୍ଏସ୍: ମାଓବାଦୀମାନେ ଗତ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରୁଥିବାବେଳେ ଗତକାଲି ସ୍ୱାଭିମାନ ଅଞ୍ଚଳରେ ବିରାଟ ପ୍ରଜାମେଳୀ କରି ମାଓ ସମର୍ଥକମାନେ ମୃତ ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ମାଓବାଦୀମାନେ ମାଓ ଆଦର୍ଶ ଓ ଆଭିମୁଖ୍ୟ ସମ୍ପର୍କରେ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ଅନ୍ୟପଟେ ସ୍ୱାଭିମାନ ଅଞ୍ଚଳରେ କିଛିଦିନ ଧରି ମାଓବାଦୀ ଓ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ବିପକ୍ଷବାଦୀମାନେ ମାଓବାଦୀଙ୍କୁ ବିରୋଧ କରିଛନ୍ତି। ବିରୋଧୀ ଗୋଷ୍ଠୀ ଏକ ପୋଷ୍ଟର ଲଗାଇ ‘ଏହା ସହିଦ ସପ୍ତାହ ନୁହେଁ ବରଂ ନିନ୍ଦା ସପ୍ତାହ’ ବୋଲି ଉଲ୍ଲେଖ କରିଛନ୍ତି। ବିରୋଧୀ ଗୋଷ୍ଠୀ ଜୁଲାଇ ୩୦ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ ନିନ୍ଦା ସପ୍ତାହ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି। ସହିଦ ସପ୍ତାହକୁ ପ୍ରତ୍ୟାଖ୍ୟାନ କରିବା ସହ ମୃତ ମାଓବାଦୀମାନେ ସହିଦ ନୁହନ୍ତି ବୋଲି ବିରୋଧୀ ଗୋଷ୍ଠୀ ଅଞ୍ଚଳବାସୀଙ୍କୁ ବୁଝାଇଛନ୍ତି। କାରଣ ସୂଚନାଦାତା ସନ୍ଦେହରେ ନିର୍ମମ ଭାବେ ସେମାନେ ଆଦିବାସୀଙ୍କୁ ହତ୍ୟା କରିଛନ୍ତି। ଏଥିସହିତ ସେମାନେ ଅଞ୍ଚଳର ବିଦ୍ୟାଳୟ, କଲେଜ, ରାସ୍ତାଘାଟ, ଚିକିତ୍ସାଳୟ, ପଞ୍ଚାୟତ ଗୃହଗୁଡ଼ିକ ଧ୍ୱଂସ କରିଛନ୍ତି। କରୋନା ମହାମାରୀ ସମୟରେ ନିଜର ସ୍ୱାର୍ଥ ପାଇଁ ସମଦୂରତା ନରଖି ଏଭଳି ମେଳୀ କରିବା ଘଟଣା ନିନ୍ଦନୀୟ। ତେଣୁ ଏହାକୁ ବିରୋଧ କରିବା ସହ ମାଓ ସଂଗଠନକୁ ସହଯୋଗ ନକରିବାକୁ କୋରାପୁଟ ଜିଲ୍ଲା ଆଇଏନ୍ପିପିଏଫ୍ ପକ୍ଷରୁ ଲଗାଯାଇଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ଏସବୁ ମଧ୍ୟରେ କୌଣସି ପ୍ରକାର ହିଂସାକାଣ୍ଡକୁ ଏଡ଼ାଇବା ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ଜିଲ୍ଲାର ସୀମାକୁ ସିଲ କରାଯାଇଛି। ମାଓବାଦୀମାନେ ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଲକାନଗିରି ଏସପି ରିଷିକେଶ ଡି ଖିଲାରୀ ଆହ୍ୱାନ ଦେଇଛନ୍ତି।