ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତର ସେନାପଡ଼ି ଗ୍ରାମର କାର୍ଜି ଦିଗାଲଙ୍କର ଭଲ ଘରଟିଏ ନଥିବାରୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପରିବାର ସହିତ ରହି ଆସୁଛନ୍ତି । ମାଟି ଘର ସହିତ ଭଙ୍ଗା ଟିଣ ଛପର କରି ରହୁଛନ୍ତି । ପରିବାର କହିଲେ ପାଞ୍ଚ ପ୍ରାଣୀ ସ୍ୱାମୀ, ସ୍ତ୍ରୀ ଓ ୩ ସନ୍ତାନ । କାର୍ଜି ଦୈନିକ ମଜୁରୀ କରି ପରିବାର ପ୍ରତିପୋଷଣ କରୁଛନ୍ତି । ବର୍ଷା ଦିନେ ଘରର ଅବସ୍ଥା ନ କହିବା ଭଲ । ଘର ଉପରୁ ପାଣି ଝରିବା ସହ ଅନେକ ଥର ପବନ ଟିଣ ଛପର ମଧ୍ୟ ଉଡ଼େଇ ନେଇଛି । ଆବାସ ଯୋଜନାରେ ଘର ପାଇଁ ବହୁବାର ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଘର ମିଳିଯିବ ବୋଲି ଖାଲି ପ୍ରତିଶ୍ରୁତି ମିଳିଛି । ଏସମ୍ପର୍କରେ ମିଡ଼ିଆକିଆ ସରପଞ୍ଚ ଅଶୋକ ମଳିକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, କାର୍ଜି ଆବାସ ଯୋଜନା ଘର ନିମନ୍ତେ ସମସ୍ତ କାଗଜ ପତ୍ର ଅଫିସରେ ଦାଖଲ କରିଥିଲେ ମଧ୍ୟ ଅଫିସ ତରଫରୁ ବର୍ତ୍ତମାନ ଯେଉଁ ଆବାସ ତାଲିକା ବାହାରିଛି, ସେଥିରେ ତାଙ୍କ ନାଁ ନାହିଁ । ହେଲେ କାର୍ଜି ଦିଗାଲଙ୍କ ସମେତ ଆହୁରି ଅନେକଙ୍କର ଆବାସ ତାଲିକାରୁ ନାଁ କଟିଛି ହେଲେ ନାଁ କିପରି କଟିଲା ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରାଯାଇଛି । ତେବେ ଅଞ୍ଚଳର ଯୁବ ସମାଜସେବୀ ବିଞ୍ଜାମିନ ନାୟକଙ୍କ ସମେତ ଗ୍ରାମବାସୀ ଉକ୍ତ ପରିବାରକୁ ତୁରନ୍ତ ସରକାରୀ ଘର ଯୋଗାଇ ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ।