ଠକୁଛନ୍ତି ପ୍ରଦୂଷଣ ଏଜେନ୍ସି ଓ ଇନ୍ସୁରାନ୍ସ ଏଜେଣ୍ଟ : ଲାଇସେନ୍ସ ପାଇଁ ନେଉଛନ୍ତି ୩ରୁ ୫ ହଜାର

ଝାରସୁଗୁଡା,ଏନ୍ଏନ୍ଏସ୍ : ନୂତନ ଟ୍ରାଫିକ୍ ନିୟମକୁ ରାଜ୍ୟ ସରକାର କୋହଳ କରି ତିନି ମାସ ମଧ୍ୟରେ ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ସମୟ ଦେଇଛନ୍ତି। ଫଳରେ ପୂର୍ବରୁ ଖାଁ ଖାଁ ଲାଗୁଥିବା ଆର୍ଟିଓ ଅଫିସ୍ରେ ଏବେ ନାହିଁ ନଥିବା ଭିଡ଼ ହେଉଛି। ଝାରସୁଗୁଡ଼ା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଜିଲ୍ଲାର ଦୂର ଦୂରାନ୍ତରୁ ଲାଇସେନ୍ସ, ପ୍ରଦୂଷଣ ସାର୍ଟିଫିକେଟ, ଫିଟ୍ନେସ୍, ଯାନବାହନର ମାଲିକାନା ପରିବର୍ତ୍ତନ କରିବା ପାଇଁ ଲୋକେ ଆସୁଛନ୍ତି। ହେଲେ ପ୍ରବଳ ଭିଡ଼ ଯୋଗୁଁ ସେହିଦିନ ତାଙ୍କ କାମ ହୋଇ ପାରୁନାହିଁ। ଶୀଘ୍ର କାମ ସାରିବାକୁ ହେଲେ ଦଲାଲଙ୍କ ସହାୟତା ଅଥବା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି। ବିଶେଷ ଭାବେ ଆର୍ଟିଓ କାର୍ଯ୍ୟାଳୟ ନିକଟରେ ଥିବା ପ୍ରଦୂଷଣ ଟେଷ୍ଟ ଏଜେନ୍ସି ଓ ଇନ୍ସୁରାନ୍ସ ଏଜେଣ୍ଟ ନିକଟରେ ନାହିଁ ନଥିବା ଭିଡ଼ ହେଉଛି। ଭିଡର ଆଳରେ ସେମାନେ ସରକାରୀ ଧାର୍ଯ୍ୟ ଅର୍ଥଠାରୁ ଦୁଇଗୁଣା ଅଧିକ ଆଦାୟ କରୁଥିବା ଜିଲ୍ଲାର କେତେକ ଗାଡ଼ି ମାଲିକ ଅଭିଯୋଗ ଆଣିଛନ୍ତି। ଏ ସମସ୍ତ ଠକେଇରୁ ଜନ ସାଧାରଣଙ୍କୁ ରକ୍ଷା କରିବା ତଥା ଉଚିତ ସମୟ ମଧ୍ୟରେ ସମସ୍ତଙ୍କ ଲାଇସେନ୍ସ ଓ ଯାନବାହାନର ଆବଶ୍ୟକୀୟ କାଗଜ ପତ୍ର ପ୍ରସ୍ତୁତ ପାଇଁ ଲୋକଙ୍କ ସୁବିଧା ନିମନ୍ତେ ଜିଲ୍ଲାର ପ୍ରତ୍ୟେକ ଥାନା ଓ ଫାଣ୍ଡିରେ ଆର୍ଟିଓ କ୍ୟାମ୍ପ କରିବା ପାଇଁ ଦାବି ହେଉଛି।

ଏବେ ପ୍ରଦୂଷଣ ଟେଷ୍ଟ ପାଇଁ ଜିଲ୍ଲା ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରୀ ଗଣେଶ ଏଜେନ୍ସି ଓ ରଚନା ଏଜେନ୍ସି ନାମକ ଦୁଇଟି ଘରୋଇ ସଂସ୍ଥା ରହିଛି। ପ୍ରଦୂଷଣ ସାର୍ଟିଫିକେଟ ପାଇଁ ସରକାରୀ ନିୟମ ଅନୁସାରେ ବାଇକ୍ ପାଇଁ ୪୦ ଟଙ୍କା, କାର ପରି ହାଲୁକା ଯାନ ପାଇଁ ୬୦ ଟଙ୍କା ଓ ବସ୍, ଟ୍ରକ୍ ପରି ଭାରିଯାନ ପାଇଁ ୧୦୦ ଟଙ୍କା ସରକାର ଧାର୍ଯ୍ୟ କରିଛନ୍ତି। ହେଲେ ଏହି ଦୁଇଟି ଧାର୍ଯ୍ୟ ଅର୍ଥରୁ ଦୁଇଗୁଣା ଅଧିକ ଅର୍ଥ ଆଦାୟ କରୁଥିବା ସହ ଭିଡ଼ ଅଧିକ ହେଲେ ବିନା ଯାଞ୍ଚରେ ପ୍ରଦୂଷଣ ସାର୍ଟିଫିକେଟ ଦେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଲୋକେ ଆର୍ଟିଓ ସିଦେ୍ଧଶ୍ୱର ନାୟକଙ୍କ ଦୃଷ୍ଟି ଆକର୍ଷଣ କଲାପରେ ସେ ଉଭୟ ଏଜେନ୍ସିକୁ ଡକାଇ ତାଗିତ କରିଛନ୍ତି। ଏ ବିଷୟରେ ଶ୍ରୀ ଗଣେଷ ଏଜେନ୍ସିର ମାଲିକ ରାଜେନ୍ଦ୍ର ପ୍ରସାଦ ସିଂଙ୍କୁ ପଚାରିବାରୁ ଆମେ ସରକାରୀ ଧାର୍ଯ୍ୟ ଅର୍ଥରୁ ଅଧିକ ଟଙ୍କା ନେଉ ନାହୁଁ ବୋଲି କହିଛନ୍ତି। ଅନ୍ୟପଟେ ନୂତନ ଭାବରେ ଲାଇସେନ୍ସ ଆବେଦନ କରିବା ପାଇଁ ଆସିଥିବା ଲୋକେ ଆର୍ଟିଓ ଅଫିସ୍ର ଭିଡ଼ ଆଗରେ ହାରମାନି ସିଧାସଳଖ ଦଲାଲ ବା ଏଜେଣ୍ଟମାନଙ୍କ ହାବୁଡ଼ରେ ପଡୁଛନ୍ତି।

ନିୟମ ଅନୁସାରେ ବାଇକର ଲର୍ଣ୍ଣିଂ ଲାଇସେନ୍ସ ପାଇଁ ୨୨୨ଟଙ୍କା ଓ ଫାଇନଲ ଲାଇସେନ୍ସରେ ୭୮୦ ଟଙ୍କା, କାରର ଲାର୍ଣ୍ଣିଂ ୨୭୫ ଓ ଫାଇନାଲ ପାଇଁ ୧୧୮୦ ଟଙ୍କା ଦେବାକୁ ପଡିଥାଏ। କିନ୍ତୁ ଏବେ ଦଲାଲମାନେ ବାଇକ୍ ପାଇଁ ୩ ହଜାର ଓ କାର ପାଇଁ ୫ ହଜାର ପର୍ଯ୍ୟନ୍ତ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି। ଜିଲ୍ଲାରେ ପ୍ରାୟ ୭ ଲକ୍ଷ ଲୋକ ଥିବାବେଳେ ସେ ମଧ୍ୟରୁ ୪ ଲକ୍ଷ ଲୋକ ବାଇକ, କାର ଭାରିଯାନ ଆଦି ଚଳାଚଳ କରୁଛନ୍ତି। ସେଥି ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଲୋକଙ୍କ ପାଖରେ ଲାଇସେନ୍ସ ନଥିବା ଅନୁମାନ କରାଯାଉଛି। ଅର୍ଥାତ ୪ ଲକ୍ଷ ଲୋକଙ୍କ ମଧ୍ୟରୁ ୨ଲକ୍ଷ ୮୦ ହଜାର ଲୋକଙ୍କ ପାଖରେ ଲାଇସେନ୍ସ ନାହିଁ। ପୂର୍ବରୁ ଲାଇସେନ୍ସ ନଥାଇ ଗାଡ଼ି ଚଲାଇଲେ ମଧ୍ୟ କିଛି ମୋଟା ଅଙ୍କର ଫାଇନ୍ ଦେବାକୁ ପଡୁନଥିଲା। କିନ୍ତୁ ଏବେ ସରକାରଙ୍କ ପକ୍ଷରୁ ନୂତନ ଟ୍ରାଫିକ ନିୟମ ଲାଗୁ ହେବା ପରେ ସମସ୍ତେ ଲାଇସେନ୍ସ ତଥା ଗାଡ଼ିର ଅନ୍ୟ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଆର୍ଟିଓ ଅଫିସ ମୁହାଁ ହେଉଛନ୍ତି। ପ୍ରତିଦିନ ଏହି କାର୍ଯ୍ୟାଳୟକୁ ଦୂରଦୂରାନ୍ତରୁ ଲୋକେ ଆସିବା ସମ୍ଭବ ନୁହେଁ ତଥା ଗୋଟିଏ କାର୍ଯ୍ୟାଳୟରେ ଦୈନିକ ହଜାର ହଜାର ଲୋକଙ୍କ ଆବେଦନ ମୁତାବକ କାର୍ଯ୍ୟ ହୋଇପାରୁ ନାହିଁ। ତେଣୁ ଜିଲ୍ଲାର ପ୍ରତ୍ୟେକ ଥାନା ଓ ଫାଣ୍ଡିରେ ଆର୍ଟିଓ କ୍ୟାମ୍ପ କରିବାକୁ ସାଧାରଣରେ ଦାବି ହେଉଛି।