ୟୁରିୟା ସାରକୁ ନେଇ ତେଜିଲା ରାଜନୀତି

ଚନ୍ଦାହାଣ୍ଡି,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ କିଛିଦିନ ହେଲା ୟୁରିୟା ସାର କଳାବଜାରକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଟଣାଓଟରା ହେଉଥିବା ଦେଖିବାକୁ ମିଳିଛି। ୟୁରିୟା ସାରର ଅଭାବ ଏବଂ ଅଧିକ ଦରରେ ବିକ୍ରି ହେଉଥିବା ନେଇ ବିଜେପି ପକ୍ଷରୁ ରାୟଗଡା ଜିଲ୍ଲା ପ୍ରଭାରୀ ଗୋବିନ୍ଦ କୁମାର ଜୈନ ୨୦ ତାରିଖରେ ପ୍ରେସମିଟ କରି ଏହି ଅଭିଯୋଗ ଆଣିଥିଲେ। ସେ କହିଥିଲେ, ଜିଲ୍ଲାର ଅନ୍ୟ ବ୍ଲକ ତୁଳନାରେ ଚନ୍ଦାହାଣ୍ଡି ବ୍ଲକକୁ କମ ୟୁରିୟା ସାର ଯୋଗାଣ ହେଉଥିବାବେଳେ ଶାସକ ଦଳର ସାଂସଦ ଓ ବିଧାୟକମାନେ ଏଠାକାର ଚାଷୀଙ୍କ ଦୁଃଖ ବୁଝୁ ନାହାଁନ୍ତି। ଏହାର ଯବାବରେ ଶୁକ୍ରବାର ଜିଲ୍ଲା ବିଜେଡି ସଂଯୋଜକ ପ୍ରମୋଦ କୁମାର ପାଢ଼ୀ ଏକ ପ୍ରେସ ବାର୍ତ୍ତାରେ ବିଜେପି ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ଚନ୍ଦାହାଣ୍ଡି ବ୍ଲକକୁ ସରକାରଙ୍କ ମଞ୍ଜୁର ପ୍ରାପ୍ତ ସାର ବିକ୍ରେତାଙ୍କ ମାଧ୍ୟମରେ ୫୮୪.୦୫ ୟୁରିୟା ସାର ବିକ୍ରୟ ପାଇଁ ଆସିଛି ଏବଂ ବର୍ତ୍ତମାନ ସୁଦ୍ଧା ୮୦.୮୮ ମେଟ୍ରିକ ଟନ ୟୁରିୟା ସାର ଗଚ୍ଛିତ ଅଛି। ଏଠାରେ ୟୁରିୟା ସାର ର ଅଭାବ ନଥିବା ବେଳେ ବିଜେପି ବିଭ୍ରାନ୍ତିକର ତଥ୍ୟ ଦେଇ ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛି ବୋଲି ଶ୍ରୀ ପାଢି କହିଥିଲେ। ବିଧାୟକଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ବିଜେଡି ବ୍ଲକ ସଭାପତି ଗୌରହରି ନାୟକ, ଯୁବ ସଭାପତି ତ୍ରିନାଥ ଦାଶ, ବରିଷ୍ଠ ବିଜେଡି ନେତା ପୁରୁଷୋତ୍ତମ ପାରି, ବଳରାମ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।