ପୋଲିଓ ମାଇଲାଇଟିସ୍

ପୋଲିଓର ଆକ୍ରମଣ କୌଣସି ବୟସରେ ହୋଇପାରେ। କିନ୍ତୁ ସାମାନ୍ୟତଃ ଏହି ଭାଇରସ୍ ୫ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ପ୍ରଭାବିତ କରିଥାଏ। ପୋଲିଓ ରୋଗକୁ ପୋଲିଓମାଇଲାଇଟିସ୍ ବା ଶିଶୁ ଅଙ୍ଗଘାତ ବୋଲି କୁହାଯାଏ। ଏହି ରୋଗରେ ଅନେକ ରାଷ୍ଟ୍ର ପ୍ରଭାବିତ ହୋଇସାରିଛନ୍ତି। କିନ୍ତୁ ବିଶ୍ୱର ଅନେକ ରାଷ୍ଟ୍ରରେ ପୋଲିଓ ସଂପୂର୍ଣ୍ଣ ଭାବରେ ମୂଳୋତ୍ପାଟନ ହୋଇସାରିଛି।

ପୋଲିଓର କାରଣ
ପୋଲିଓ ମାଇଲାଇଟିସ୍ ବା ପୋଲିଓ ଏକ ସଂକ୍ରମଣ ରୋଗ ଯାହା ଭାଇରସ୍ ଦ୍ୱାରା ହୋଇଥାଏ। ଏହାର ଲକ୍ଷଣ ସାମାନ୍ୟରୁ ତୀବ୍ର ହୋଇପାରେ ଓ ଏଥିରେ ସାଧାରଣତଃ ଗୋଡ଼ରେ ପାରାଲିସିସ୍ ହୋଇଯାଏ। ଏହାର ଭାଇରସ୍ ମୁହଁ ଦ୍ୱାରା ଶରୀରେ ପ୍ରବେଶ କରି ଆନ୍ତକୁ ପ୍ରଭାବିତ କରିଥାନ୍ତି। ଏହି ଭାଇରସ୍ ଶରୀରରେ ପ୍ରବେଶ କରିବାର କିଛି ଘଣ୍ଟା ପରେ ଶିଶୁ ବା ବ୍ୟକ୍ତିକୁ ପକ୍ଷାଘାତ ହୋଇପାରେ। ଏହି ଲକ୍ଷଣ ୩ରୁ ୫ ଦିନ ମଧ୍ୟରେ ପ୍ରଦର୍ଶିତ ହୋଇପାରେ।

ଲକ୍ଷଣ
ପେଟବ୍ୟଥା, ଜ୍ୱର, କ୍ଲାନ୍ତି, ମୁଣ୍ଡବିନ୍ଧା ପୋଲିଓର ସାମାନ୍ୟ ଲକ୍ଷଣ ଅଟେ। ଜଟିଳ ପରିସ୍ଥିତିରେ ପୋଲିଓର କାରଣରୁ ତେଜ ଜ୍ୱର, ମେନିନଜାଇଟିସ୍, ବେକ ବା ପିଠିରେ ଯନ୍ତ୍ରଣା, ପକ୍ଷାଘାତ, ଖାଦ୍ୟ ଗିଳିବାରେ କଷ୍ଟ ହେବା ଇତ୍ୟାଦି ପୋଲିଓର ଲକ୍ଷଣ।

ପୋଲିଓ ନିରାକାରଣ
ଏ ପର୍ଯ୍ୟନ୍ତ ପୋଲିଓର କୌଣସି ଚିକିତ୍ସା ନାହିଁ, କିନ୍ତୁ ପୋଲିଓ ଟୀକା ଦେଇ ଆପଣ ଆପଣଙ୍କ ପିଲାକୁ ଏହି ରୋଗରୁ ରକ୍ଷା କରିପାରିବେ। ବାଲ୍ୟକାଳରେ ପୋଲିଓ ଡ୍ରପ୍ ଦେବା ପରେ ଆପଣଙ୍କ ପିଲା ସମ୍ପୂର୍ଣ୍ଣ ଭାବରେ ପୋଲିଓରୁ ସୁରକ୍ଷିତ ହୋଇପାରିବ ଓ ପୋଲିଓ କାରଣରୁ ହେଉଥିବା ପକ୍ଷାଘାତର ସମ୍ଭାବନା ମଧ୍ୟ ରହିବ ନାହିଁ।