ନିମାପଡା,ଏନ୍ଏନ୍ଏସ୍: ପିପିଲି ଉପନିର୍ବାଚନ ଭୋଟିଂ ଜାରି ରହିଛି। ଏହି ସମୟରେ ଘୋରଡିଆ ମତଦାନ କେନ୍ଦ୍ରରେ ଜଣେ ପୋଲିଂ ଅଫିସର ଅସୁସ୍ଥ ହୋଇପଡିଥିବା ଜଣାପଡିଛି। ମତଦାନ କେନ୍ଦ୍ରରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଆସି ତାଙ୍କୁ ଚିକିତ୍ସା କରୁଛନ୍ତି। ତାଙ୍କୁ ଅଧିକ ଚିକିତ୍ସା ପାଇଁ ଡେଲାଙ୍ଗ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ରକ୍ତଚାପ କମିଯିବାରୁ ସେ ଅସୁସ୍ଥ ହୋଇଥିବା ଜଣାପଡିଛି।
ଭୋଟ୍ ଗ୍ରହଣ ସମୟରେ ପୋଲିଂ ଅଫିସର ଜଣଙ୍କ ବସିଥିବା ଅବସ୍ଥାରେ ଖିସପଡିଥିଲେ। ତାଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିବା ଜଣାପଡିଛି। ବାନ୍ତି ମଧ୍ୟ ହୋଇଥିବା ଜଣାପଡିଛି। ପୋଲିଂ ଅଫିସରଙ୍କ ଅସୁସ୍ଥତା ଯୋଗୁଁ ଭୋଟିଂ ବାଧାପ୍ରାପ୍ତ ହୋଇନାହିଁ। ମତଦାନ କେନ୍ଦ୍ରରେ ନିୟୋଜିତ ଥିବା ଅନ୍ୟ ପୋଲିଂ ଅଫିସରମାନେ ଭୋଟ୍ ଗ୍ରହଣ ଜାରି ରଖିଛନ୍ତି।
ପିପିଲି ଉପନିର୍ବାଚନ ପାଇଁ ଭୋଟିଂ ଜାରି ରହିଛି। ସକାଳ ୭ଟାରୁ ବିଭିନ୍ନ ବୁଥରେ ଭୋଟର ମତଦାନ କରୁଛନ୍ତି। ମୋଟ୍ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ମତସାବ୍ୟସ୍ତ କରିବେ। ୩୪୮ଟି ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ ଚାଲିଛି। ମତଦାନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ସକାଳ ୯ଟା ସୁଦ୍ଧା ୭.୮୦ ପ୍ରତିଶତ ମତଦାନ ହୋଇଛି।