ଆଇନ୍ ପଞ୍ଝାରେ ପୂର୍ବତନ କ୍ରିକେଟରଙ୍କ କଳାସାମ୍ରାଜ୍ୟ: ୨ଦିନିଆ ରିମାଣ୍ଡରେ ଖଣିମାଫିଆ ମହମ୍ମଦ ତାବ୍ରିଜ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ବେଆଇନ ପଥରଖଣି କାରବାର ମାମଲାରେ ଗିରଫ ହୋଇଥିବା ଖଣିମାଫିଆ ମହମ୍ମଦ ତାବ୍ରିଜ କୁ ଏସଟିଏଫ୍ ଦୁଇଦିନିଆ ରିମାଣ୍ଡରେ ଆଣିଛି। ତାବ୍ରିଜକୁ ରିମାଣ୍ଡରେ ଆଣିବା ନେଇ ଏସଟିଏଫ୍ ମଙ୍ଗଳବାର କୋର୍ଟରେ ଆବେଦନ କରିଥିଲା। ତେବେ ତାବ୍ରିଜକୁ ରିମାଣ୍ଡରେ ରଖି ଅଧିକ ପଚରାଉଚରା କରିବା ପରେ ତା’ର କଳାସାମ୍ରାଜ୍ୟର ଅଧିକ ଗୁମର ଖୋଲିବ ବୋଲି ଜଣାପଡ଼ିଛି। ମହମ୍ମଦ ତାବ୍ରିଜକୁ ମଙ୍ଗଳବାର କ୍ରାଇମବ୍ରାଞ୍ଚର ଏସଟିଏଫ୍ କୋଲକାତା ବିମାନବନ୍ଦରରୁ ଗିରଫ କରିଥିଲା। ଏହାପରେ ଏସଟିଏଫ୍ ତାବ୍ରିଜକୁ କୋଲକାତା ବାରାକପୁର କୋର୍ଟରେ ପ୍ରଥମେ ହାଜର କରିଥିଲା। ପରେ ତାକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇଛି।

ସୂଚନା ଅନୁଯାୟୀ, ତାବ୍ରିଜର ଘର ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳରେ ହୋଇଥିବାବେଳେ, ସେ ହଂସପାଳରେ ଥିବା ମେଟ୍ରୋ ସାଟେଲାଇଟ୍ ଆପାର୍ଟମେଣ୍ଟରେ ରହୁଥିଲା। ତେବେ ଏହି ମାଫିଆ ସାମ୍ରାଜ୍ୟରେ ପ୍ରବେଶ କରିବା ପୂର୍ବରୁ ତାବ୍ରିଜ ଜଣେ ଭଲ କ୍ରିକେଟର ଭାବେ ପରିଚିତ ଥିବା ଜଣାପଡ଼ିଛି। ସେ ଭଲ ବ୍ୟାଟିଂ କରିବା ସହିତ ବୋଲିଂ ମଧ୍ୟ କରୁଥିଲେ। ଏଥିପାଇଁ ସେ ଓଡ଼ିଶା ଅଣ୍ଡର-୧୯ଟିମ୍ ରେ ସାମିଲ ହୋଇଥିଲେ।

ଏମିତିକି ସେ ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ଖେଳିଛି। ହେଲେ ପରବର୍ତ୍ତୀ ସମୟରେ ସେ କେନ୍ଦ୍ରପଡ଼ାର ଜଣେ ଅପରାଧୀଙ୍କ ସଂସ୍ପର୍ଶରେ ଆସି ଏହି କଳାସାମ୍ରାଜ୍ୟରେ ପାଦ ଥାପିଥିଲା। ସମ୍ପୃକ୍ତ ଅପରାଧୀ ଜଣଙ୍କ ତାବ୍ରିଜକୁ ବିଭିନ୍ନ ଅପରାଧୀକ କାର୍ଯ୍ୟରେ ଲିପ୍ତ କରିବା ସହ ତା’ ମାଧ୍ୟମରେ ଖୋର୍ଦ୍ଧାରେ ପଥରଖନନ କରି ଚୋରାରେ ବିକ୍ରି କରୁଥିଲା। ତେବେ ପଥରଖନନ ରାତିରେ ହେଉଥିବାରୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରୁଥିଲେ। ହେଲେ ସେମାନଙ୍କୁ ଚୁପ୍ କରିବାର ସମ୍ପୂର୍ଣ୍ଣ ଦାୟିତ୍ୱ ତାବ୍ରିଜ ନେଇଥିଲା।

ଟଙ୍କାର ଲୋଭ ବଢ଼ିବାରୁ ତାବ୍ରିଜ୍ ପରବର୍ତ୍ତୀ ସମୟରେ କେନ୍ଦ୍ରାପଡ଼ାର ସମ୍ପୃକ୍ତ ଅପରାଧୀ ଠାରୁ ଅଲଗା ହୋଇଯାଇଥିଲା। ଏହାପରେ ସେ ନିଜେ ଏକ ୧୦ଜଣିଆ ଗ୍ୟାଙ୍ଗ୍ ଗଢ଼ି ପଥରଖନନ କରି କାରବାର ଆରମ୍ଭ କରିଦେଲା। ଏମିତିକି ଗ୍ୟାଙ୍ଗର ସମସ୍ତ ସଦସ୍ୟଙ୍କୁ ତାବ୍ରିଜ ବନ୍ଧୁକ ଦେଇଥିଲା। ଯଦି ପଥରଖନନରେ କେହି ବି ବାଧା ସାଜେ ତା’ହେଲେ ତାକୁ ବନ୍ଧୁକ ଦେଖାଇ ଧମକାଇବା ପାଇଁ ତାବ୍ରିଜ ତା’ ଗ୍ୟାଙ୍ଗର ସମସ୍ତ ସଦସ୍ୟଙ୍କୁ କହିଥିଲା।