ମଦବେପାରୀଙ୍କ ମିଳୁନି ପତ୍ତା! ପୁଲିସ ମାରି ଦେଇଥିବା ଅଭିଯୋଗ

ପଟ୍ଟାମୁଣ୍ଡାଇ,ଏନ୍ଏନ୍ଏସ୍: ଚୋରାମଦ ବେପାରୀକୁ ପୁଲିସ ଧରି ଆଣି ଥାନା ରଖିବା ପରେ ଆଉ ମିଳୁନି ପତ୍ତା। ତେବେ ପୁଲିସ ମାରିଦେଇଥିବା ନେଇ ସମ୍ପୃକ୍ତ ବେପାରୀଙ୍କ ସ୍ତ୍ରୀ ଅଭିଯୋଗ କରିବା ସହ ଗ୍ରାମବାସୀମାନେ ତାନାରେ ଧାରଣା ଦେଇଛନ୍ତି। ପ୍ରକାଶଯୋଗ୍ୟ, ବୁଧବାର ପଟ୍ଟାମୁଣ୍ଡାଇ ଥାନା ପୋଲିସ ଅରଡପଲ୍ଲୀ ଓ ସାନଜରିଆ ଗ୍ରାମରେ ଚୋରାମଦ କାରବାର ହେଉଥିବା ଖବର ପାଇ ଦିବା ୧ ଘଟିକା ସମୟରେ ଚୋରାମଦ ବେପାର କରୁଥିବା ସୁଶାନ୍ତ ବେହେରା(ମଙ୍ଗୁଳି) ଓ ସାନଜରିଆ ଗ୍ରାମର ଅଶୋକ ବାରିକଙ୍କୁ ଧରି ଥାନାକୁ ନେଇ ଆସିବା ବାଟରେ ସୁଶାନ୍ତଙ୍କ ଦେହ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାକୁ ନେଇଥିଲେ।

ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ। ବର୍ତ୍ତମାନ ସଂପୃକ୍ତ ମଦ ବ୍ୟବସାୟୀଙ୍କର କୌଣସି ସଠିକ ପତ୍ତା ମିଳୁ ନଥିବାରୁ ତାଙ୍କ ସଂପର୍କରେ ନାନା କଥା ଶୁଣାଯାଉଛି। ଏହି ଘଟଣାକୁ ନେଇ ମଦ ବ୍ୟବସାୟୀଙ୍କ ଗ୍ରାମ ଅରଡପଲ୍ଲୀ ଗ୍ରାମରେ ଉତ୍ତେଜନା ଦେଖାଦେଇଛି।

ମଦ ବ୍ୟବସାୟୀ ସୁଶାନ୍ତଙ୍କ ପତ୍ନୀ ଚିନ୍ମୟୀ ବେହେରା ତାଙ୍କ ସ୍ୱାମୀଙ୍କ ସଂପର୍କରେ ସ୍ପଷ୍ଟ ସୂଚନା ଦେବା ପାଇଁ ପୋଲିସ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି। ଖବର ପାଇ କେନ୍ଦ୍ରାପଡା ଏସପି ନୀତିଶେଖର ଓ ପଟ୍ଟାମୁଣ୍ଡାଇ ଏସଡିପିଓ ରଞନ ଦେ ପଟ୍ଟାମୁଣ୍ଡାଇ ଥାନାରେ ପହଞ୍ଚି ଏହି ମାମଲାର ଛାନଭିନ ଆରମ୍ଭ କରିଛନ୍ତି।

ଅରଡପଲ୍ଲୀ ଗ୍ରାମର ବହୁ ଗ୍ରାମବାସୀ ପଟ୍ଟାମୁଣ୍ଡାଇ ଥାନାକୁ ଆସି ସେଠାରେ ଧାରଣା ଦେଇଛନ୍ତି। ସଂପୃକ୍ତ ମଦ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରଚାର ହେବା ପରେ ଏନେଇ ଅଧିକ ସସପେନ୍ସ ଲାଗିରହିଛି।