୪ କୁଇଣ୍ଟାଲ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୁଲିସ, ୨ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: ପୁଣି ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ବେଳେ ନନ୍ଦପୁର ଲମତାପୁଟ ପୁଲିସକୁ ମିଳିଛି ସଫଳତା। କୋରାପୁଟ ଜିଲ୍ଲା ବାଡେଲ ଅଞ୍ଚଳରୁ ରାଜସ୍ଥାନ ଚାଲାଣବେଳେ ଲମତାପୁଟ ପୁଲିସ ହାତରେ ଧରା ପଡିଛି ବିପୁଳ ଗଞ୍ଜେଇ। ବିଶେଷ ସୂତ୍ରରୁ ଖବରପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଏସଡ଼ିପିଓ ସ୍ଵତନ୍ତ୍ର ଟିମ ଗଠନ କରି ଲମତାପୁଟ ପୁଲିସ ଏବଂ ନିଜେ ଏସଡ଼ିପିଓ ପୂର୍ବରୁ ବଡପଡା ଘାଟିରେ ନାକା ବନ୍ଦି କରିଥିଲେ।

ସଗର ଗ୍ରାମ ପଟୁ ଦ୍ରୁତ ଗତିରେ ଆସୁଥିବା ପଣସ ବୋଝେଇ ଟ୍ରକକୁ ଅଟକାଇ ଥିଲା ପୁଲିସ। ପ୍ରଥମେ ଟ୍ରକରେ ଥିବା ୨ ଜଣଙ୍କୁ କାବୁ କରିଥିଲା ପୁଲିସ। ଟ୍ରକ ଡାଲାରେ ବୋଝେଇ ଥିବା ପଣସ ଗୁଡିକୁ ବାହାର କରିବା ସମୟରେ ୧୫ଟି ବସ୍ତାରେ ପ୍ରାୟ ୪ କୁଇଣ୍ଟାଲ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଏହାର ମୂଲ୍ୟ ପ୍ରାୟ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ପୁଲିସ କହିଛି। ଏହି ଗଞ୍ଜେଇ ରାଜସ୍ଥାନକୁ ଯାଉଥିବା ଗଞ୍ଜେଇ ମାଫିଆ ସ୍ଵୀକାର କରିଛନ୍ତି। ଗିରଫ ଯୁବକମାନେ ରାଜସ୍ଥାନ ଅଞ୍ଚଳର ରାଜେନ୍ଦ୍ର ଏବଂ ବାବୁ ସିଂ ବୋଲି ଜଣାପଡ଼ିଛି।