ସଇଁନ୍ତଲା,ଏନ୍ଏନ୍ଏସ୍: ସଇଁନ୍ତଲା ପୁଲିସକୁ ବଡ଼ ସଫଳତା। ହତ୍ୟା ହେବାର ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳତା ହାସଲ କରିଛି। ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ଆମ୍ବପାଲି ଗାଁ’ର ଜାନକୀ ମହାନନ୍ଦ(୪୮) ତାଙ୍କର ବିଲକୁ ମାଛ ଧରିବା ପାଇଁ ଯାଇଥିଲେ। ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିବା ବେଳେ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ରାତି ପ୍ରାୟ ୭ଟାରେ ମହିଳାଙ୍କ ମୃତ୍ୟୁ ଦେହକୁ ଏକ ବିଲ ପାଖେ ଦେଖିବାକୁ ପାଇଥିଲେ। ପରେ ପରିବାର ଲୋକେ ତାଙ୍କୁ ସଇଁନ୍ତଲା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମହିଳାର ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ହତ୍ୟା କରାଯାଇଥିବା ଅଭିଯୋଗ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ତାଙ୍କ ପୁଅ ପଦ୍ମନାଭ ମହାନନ୍ଦ।
ତେବେ ଘଟଣା ସମ୍ପର୍କରେ ସଇଁନ୍ତଳା ପୁଲିସ ୩ ଜଣକୁ ଅଟକ ରଖି ପଚରାଉଚରା କରିଥିଲା। ୨ ଜଣ ଯୁବକ ନିର୍ଦ୍ଦୋଶ ଥିବା ବେଳେ ପ୍ରକୃତ ଅଭିଯୁକ୍ତ ହତ୍ୟା କରିଥିବା ପୁଲିସ ଆଗରେ ସ୍ଵିକାର କରିଥିଲା। ହତ୍ୟା କରିଥିବା ବ୍ୟକ୍ତି ଜଣଙ୍କ ହେଲେ ପୁଷ୍କର ଗହିର(୩୫)। ତାକୁ ଆଜି ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭାର, ସଇଁନ୍ତଳା ଥାନା ଅଧିକାରୀ ଅବନୀ ସାହୁ, ଏସ୍ଆଇ ସଙ୍ଗିତା ବେଙ୍କ, ଏଏସ୍ଆଇ ଥବିର ମହାରଣା ସମେତ ଅନ୍ୟ ପୁଲିସ ଅଧିକାରୀ ମାନେ ଅପରାଧୀକୁ ଧରି ଘଟଣାସ୍ଥଳକୁ ନେଇ ସିନ୍ରିକ୍ରିଏସନ୍ କରାଇଥିଲେ। ଘଟଣାସ୍ଥଳରୁ ଏକ ଧାନ କଟା ଅସ୍ତ୍ର (ଦାଆ) ଜବତ କରିବା ସହ ଏକ ବାଉଁଶ ଜବତ କରିଥିଲା।
ସୂଚନାଯୋଗ୍ୟ ଯେ, ପୁଷ୍କର ଗହୀର କହିବାନୁଯାୟୀ ବିଲରେ ମହିଳା ଜଣକ ମାଛ ମାରିବା ପାଇଁ ଆସିଥିଲେ। ସେହି ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଯାହା ଫଳରେ ଅଭିଯୁକ୍ତ ଉତ୍ତେଜିତ ହୋଇ ପ୍ରଥମେ ଧାନ କଟା ଅସ୍ତ୍ର (ଦାଆ) ସାହାଯ୍ୟରେ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ। ଯାହାଦ୍ୱାରା ମହିଳା ଜଣକ ବିଲ ଭିତରେ ପଡ଼ିଯାଇଥିଲେ। କିଛି ସମୟ ପରେ ମହିଳା ଜଣକ ଉଠିବା ପାଇଁ ପ୍ରୟାସ କରୁଥିବା ଦେଖି ପୁଣି ଅଭିଯୁକ୍ତ ତାକୁ ବାଉଁଶ ଠେଙ୍ଗା ସାହାଯ୍ୟରେ ମାଡ ମାରିଥିଲେ। ପରେ ରକ୍ତାକ୍ତ ଧାନ କଟା ଯନ୍ତ୍ର (ଦାଆ)କୁ ନେଇ ବିଲକୁ ଯାଇ ପାଣିରେ ଧୋଇଥିଲେ ଓ ଠେଙ୍ଗାକୁ ପାଲ ଗଦା ଭିତରକୁ ଫିଙ୍ଗି ଦେଇଥିଲେ।
ଅଭିଯୁକ୍ତ ଜଣକ କିଛି ସମୟ ପରେ ନିଜ ଘରକୁ ଫେରିଥିଲେ। ସିନ୍ରିକ୍ରିଏସନ୍ ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଡ଼ାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରିଛି।